କଟକ: OAS ବାବୁଙ୍କ ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା। ଏବେ ସୁଦ୍ଧା ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ୧୦ରୁ ଅଧିକ ବ୍ୟାଙ୍କ ପାସବୁକ ଜବତ ହୋଇଛି। କଟକ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ଏସବୁ ଜବତ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ରେଡ୍ ଚାଲିଛି।
ବାବୁଙ୍କର ଭୁବନେଶ୍ୱରର ସହିଦନଗରରେ ରହିଛି ୩ମହଲା ବିଲ୍ଡିଂ। ଏହାସହ ଏକ ନିର୍ମାଣଧୀନ ୩ ମହଲା କୋଠା ରହିଛି। ପୈତୃକ ଘର ପୁରୀ ଜିଲ୍ଲା ଗଡିଶାଗଡ଼ ଥାନା ଦୁଛିଆରେ ରେଡ୍ କରୁଛି ଟିମ୍। ସେପଟେ ଭୁବନେଶ୍ୱର ଲକ୍ଷ୍ମୀସାଗର ଓ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇରେ ଥିବା ସମ୍ପର୍କୀୟଙ୍କ ଘର, କଣ୍ଟାପଡାରେ ଥିବା ସରକାରୀ କ୍ବାର୍ଟର୍ସ ଓ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ଟିମ୍। ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସପି, ୮ ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ଭିଜିଲାନ୍ସ ଅଧିକାରୀମାନେ କହିଛନ୍ତି ଯେ ତଲାସ ପ୍ରକ୍ରିୟା ଏବେ ବି ଜାରି ରହିଛି, ଏବଂ ସମ୍ପତ୍ତି, ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ଜିନିଷର ମୂଲ୍ୟାଙ୍କନ ବର୍ତ୍ତମାନ ଚାଲିଛି। ଚଢ଼ାଉ ଶେଷ ହେବ ପରେ ଓ ଜବତ ସାମଗ୍ରୀ ଯାଞ୍ଚ ହେବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ OAS ବାବୁ; ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି