ଭୁବନେଶ୍ୱର: ସାରା ରାଜ୍ୟ ଶୀତରେ ଥରୁଛି। ଶୀତ ଲହରୀରେ ଅସ୍ତବ୍ୟସ୍ତ ହୋଇ ପଡିଛି ଜୀବନ। ଦକ୍ଷିଣରୁ ପଶ୍ଚିମ ଚାରିଆଡେ ଶୀତର ତାଣ୍ତବ ଦେଖିବାକୁ ମିଳୁଛି। ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେଉଛି । ଗତକାଲି ଦିନ ୧୦ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିବାର ଦୃଶ୍ୟମାନ ହୋଇଥିଲା। ଫଳରେ ଜନଜୀବନ ଓ ଯାତାୟାତରେ ଅନେକ ସମସ୍ୟା ଉପୁଜୁଛି।
ଆଗାମୀ ୫ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନାହିଁ। ଘନ କୁହୁଡ଼ି ପାଇଁ କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, ସୁନ୍ଦରଗଡ ଏହି ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳକୁ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୦ରୁ ଊର୍ଦ୍ଧ୍ବ ସହରରେ ଘନ କୁହୁଡି ପରିଲକ୍ଷିତ କରାଯାଇଥିଲା। ନୟାଗଡ, ଭୁବନେଶ୍ୱର, ପାରାଦ୍ବୀପ, ଖୋର୍ଦ୍ଧା, ଢେଙ୍କାନାଳ, ଫୁଲବାଣୀ, କୋରାପୁଟ, ରାଉରକେଲା, ଭବାନୀପାଟଣା, ଚାନ୍ଦବାଲି, ବାରିପଦା ଓ କେନ୍ଦୁଝର ଭଳି ୧୨ଟି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହୋଇଛି।