ନୂଆଦିଲ୍ଲୀ: ଆମେରିକାରେ ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ଯୋଗୁଁ ଗୁରୁତର ପ୍ରଭାବିତ ହୋଇଛି । ତୁଷାରପାତ ଯୋଗୁଁ ବିଶେଷକରି ବିମାନ ସେବା ଅଧିକ ପ୍ରଭାବିତ ହୋଇଛି । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ଆୱେର୍ ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୪:୦୪ ଟା ସୁଦ୍ଧା ମୋଟ ୧,୮୦୨ ଟି ବିମାନ ବାତିଲ ଏବଂ ୨୨,୩୪୯ ଟି ବିଳମ୍ବିତ ହୋଇଥିଲା।
ଆମେରିକାର ଜାତୀୟ ପାଣିପାଗ ସେବା ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଶୀତକାଳୀନ ଝଡ଼ ଡେଭିନ୍ ସମ୍ପର୍କରେ ଚେତାବନୀ ଜାରି କରିଛି। ନ୍ୟୁୟର୍କ ସିଟି ଏବଂ ଲଙ୍ଗ ଆଇଲ୍ୟାଣ୍ଡ ସମେତ ଉପର ରାଜ୍ୟ ନ୍ୟୁୟର୍କରୁ ଟ୍ରାଇ-ଷ୍ଟେଟ୍ କ୍ଷେତ୍ର ପର୍ଯ୍ୟନ୍ତ ଶୁକ୍ରବାର ବିଳମ୍ବିତ ରାତି ସୁଦ୍ଧା ୪-୮ ଇଞ୍ଚ ତୁଷାରପାତ ହେବାର ଆଶା କରାଯାଉଛି । ନ୍ୟୁୟର୍କର ଜନ୍ ଏଫ୍ କେନେଡି ବିମାନବନ୍ଦର, ନ୍ୟୁୟାର୍କ ଲିବର୍ଟି ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଲାଗାର୍ଡିଆ ବିମାନବନ୍ଦରରେ ଅଧାରୁ ଅଧିକ ଉଡ଼ାଣ ବାତିଲ ଏବଂ ବିଳମ୍ବ ହୋଇଛି । ଜେଟବ୍ଲୁ ଏୟାରୱେଜ୍ ର ୨୨୫ଟି, ଡେଲଟା ଏୟାର ଲାଇନ୍ସ ୨୧୨ଟି , ରିପବ୍ଲିକ୍ ଏୟାରୱେଜ୍ ୧୫୭ଟି, ଆମେରିକୀୟ ଏୟାରଲାଇନ୍ସ ୧୪୬ଟି ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ୯୭ଟି ବିମାନ ବାତିଲ କରିଛି। ଆମେରିକୀୟ ଏୟାରଲାଇନ୍ସ, ୟୁନାଇଟେଡ୍ ଏୟାରଲାଇନ୍ସ ଏବଂ ଜେଟବ୍ଲୁର ମୁଖପାତ୍ରମାନେ ରଏଟର୍ସଙ୍କୁ କହିଛନ୍ତି ଯେ ଯେଉଁ ଯାତ୍ରୀମାନଙ୍କର ଯାତ୍ରା ପ୍ରଭାବିତ ହେବ ସେମାନଙ୍କ ପାଇଁ ପୁନଃବୁକିଂ ପାଇଁ ବିମାନ କମ୍ପାନୀଗୁଡ଼ିକ ପରିବର୍ତ୍ତନ ଶୁଳ୍କ ଛାଡ଼ କରିଛନ୍ତି ।
ସେହିପରି ତୁଷାରପାତ ପାଇଁ ନ୍ୟୁୟର୍କ ଏବଂ ନ୍ୟୁ ଜର୍ସିରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଚି । ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥି ହୋଚୁଲ୍ କହିଛନ୍ତି, "ନ୍ୟୁୟର୍କ ସହର ଏବଂ ଆଖପାଖ ଅଞ୍ଚଳରେ ସନ୍ଧ୍ୟାରେ ତୁଷାରପାତ ଆରମ୍ଭ ହେବାର ଆଶା କରାଯାଉଛି, ତେଣୁ ଏଜେନ୍ସି ଏବଂ ସ୍ଥାନୀୟ ଅଂଶୀଦାରମାନଙ୍କ ପାଖରେ ଝଡ଼ର ମୁକାବିଲା ପାଇଁ ଆବଶ୍ୟକୀୟ ସମ୍ବଳ ଏବଂ ଉପକରଣ ଅଛି ତାହା ନିଶ୍ଚିତ କରିବା ପାଇଁ ମୁଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବି।"