ନୂଆଦିଲ୍ଲୀ: ବର୍ତ୍ତମାନ ଜାରି ରହିଥିବା ଭାରତ ଏବଂ ଶ୍ରୀଲଙ୍କା ମହିଳା ଟି-ଟ୍ୱେଣ୍ଟି ସିରିଜରେ ପ୍ରଥମେ ସ୍ମୃତି ମାନ୍ଧାନାଙ୍କ ବିଶ୍ୱ ରେକର୍ଡ ପରେ ଏବେ ଅଲରାଉଣ୍ଡର୍ ଦୀପ୍ତି ଶର୍ମା ଆଉ ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଦୀପ୍ତି ମହିଳା କ୍ରେକଟରେ ବିଶ୍ୱରେ ସର୍ବାଧିକ ୱିକେଟ୍ ନେଇଥିବା ତୃତୀୟ ବୋଲର୍ ହୋଇଛନ୍ତି । ସେ ଅଷ୍ଟ୍ରେଲିଆର ଏଲିଜ୍ ପେରୀଙ୍କୁ ପଛରେ ପକାଇଛନ୍ତି ।
ଥିରୁଅନନ୍ତପୁରମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ ଶେଷ ହୋଇଛି । ଦୀପ୍ତି ଏଥିରେ ମାତ୍ର ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଛନ୍ତି । ସର୍ବମୋଟ୍ ୩୩୩ଟି ୱିକେଟ୍ ତାଙ୍କ ତାଲିକାରେ ଯୋଡ଼ି ହୋଇଛି । ଏହା ସହିତ ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ ୱିକେଟ୍ ନେଇଥିବା ତୃତୀୟ ବୋଲର୍ ହୋଇଛି । ତାଙ୍କ ତଳକୁ ଅଷ୍ଟ୍ରେଲିଆ ବୋଲର୍ ପେରୀ ୨୭୧ ମ୍ୟାଚରେ ୩୩୧ ଟି ୱିକେଟ୍ ନେଇଥିବା ବେଳେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ଭାରତର ଝୁଲଣ ଗୋସ୍ୱାମୀ ୨୯୧ ମ୍ୟାଚରେ ୩୫୫ଟି ୱିକେଟ୍ ନେଇ ପ୍ରଥମରେ ରହିଥିବାବେଳେ ଇଂଲଣ୍ଡର କାଥେରିନ୍ ସ୍କିଭର୍ ବ୍ରଣ୍ଟ୍ ୨୭୫ଟି ମ୍ୟାଚରେ ୩୩୫ଟି ୱିକେଟ୍ ନେଇ ଦ୍ୱିତୀୟରେ ଅଛନ୍ତି ।
ସେହିପରି ଦୀପ୍ତି ଅତି କମ ଦିନରେ ଉଭୟ ପୁରୁଣ ଏବଂ ମହିଳା ବର୍ଗରେ ଟି-ଟ୍ୱେଣ୍ଟି ଫର୍ମଟାରେ ୧୫୦ ୱିକେଟ୍ ନେବାରେ ପ୍ରଥମ ଭାରତୀୟ କ୍ରିକେଟର ଗୌରବ ମଧ୍ୟ ହାସଲ କରିଥିଲେ । ଦିନିକିଆ ଫର୍ମଟାରେ ଦୀପ୍ତି ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ଅଷ୍ଟମ ସ୍ଥାନରେ ରହିଛନ୍ତି । ଝୁଲଣ ଗୋସ୍ୱାମୀଙ୍କ ପରେ ଭାରତର ଦ୍ୱିତୀୟ ସଫଳ ବୋଲର୍ ଅଟନ୍ତି । ଦୀପ୍ତି ପୁରୁଷ କିମ୍ବା ମହିଳା ଖେଳ ଇତିହାସରେ ପ୍ରଥମ କ୍ରିକେଟର ଯିଏକି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ୧୦୦୦ ରନ ଏବଂ ୧୫୦ ୱିକେଟ୍ ନେଇଛନ୍ତି । ତାଙ୍କର ୧୫୧ ୱିକେଟ୍ ସହିତ, ୧୩୧ ମ୍ୟାଚ୍ ରେ ୨୩.୪୦ ହାରରେ ଏବଂ ୧୦୪.୨୬ ଷ୍ଟ୍ରାଇକ୍ ରେଟ୍ ସହିତ ୧୧୦୦ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ।
ନିକଟରେ ଖେଳାଯାଇଥିବା ମ୍ୟାଚରେ ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ସମ୍ପୂର୍ଣ୍ଣ ଓଭର୍ ଖେଳି ୭ ୱିକେଟ୍ ହରାଇ ୧୧୨ ରନ୍ କରିଥିଲା । ଭାରତ ୧୩.୨ ଓଭରେ ଅତି ସହଜରେ ମ୍ୟାଚକୁ ଜିତି ନେଇଥିଲା ।