ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC)ର ଅଧ୍ୟକ୍ଷ ମୋହସିନ୍ ନକଭି ପୁଣି ଥରେ ଅପମାନିତ ହୋଇଛନ୍ତି। ଡିସେମ୍ବର ୨୧ରେ ଦୁବାଇରେ ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ର ଫାଇନାଲ୍ ମ୍ୟାଚରେ ପାକିସ୍ତାନୀ ଦଳ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ମ୍ୟାଚ୍ ପରେ, ଟିମ୍ ଇଣ୍ଡିଆର ଖେଳାଳିମାନେ ନକଭିଙ୍କଠାରୁ ପଦକ ଗ୍ରହଣ କରିବାକୁ ମନା କରିଦେଇଥିଲେ। ମୋହସିନ୍ ନକଭି ବ୍ୟକ୍ତିଗତ ଭାବରେ ପାକିସ୍ତାନୀ ଦଳକୁ ଏସିଆ କପ୍ ଟ୍ରଫି ପ୍ରଦାନ କରିଥିଲେ ଏବଂ ଚାମ୍ପିଅନ୍ ଦଳ ସହିତ ଫଟୋ ଉଠାଇଥିଲେ।
ମୋହସିନ୍ ନକଭି ଅପମାନିତ
ଉଲ୍ଲେଖନୀୟ ମୋହସିନ୍ ନକଭି ଫାଇନାଲ୍ ମ୍ୟାଚ୍ ସମୟରେ ପୁରସ୍କାର ସମାରୋହରେ ଅଂଶଗ୍ରହଣ କରିବା ପାଇଁ ଦୁବାଇରେ ପହଞ୍ଚିଥିଲେ। ନକଭି ପ୍ରଥମେ ଚାମ୍ପିଅନ୍ ଦଳର ଖେଳାଳିମାନଙ୍କୁ ପଦକ ପ୍ରଦାନ କରିଥିଲେ ଏବଂ ତା’ପରେ ପାକିସ୍ତାନୀ ଅଧିନାୟକ ଫରହାନ୍ ୟୁସୁଫଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହା ପରେ, ଭାରତୀୟ ଖେଳାଳିମାନେ ପୋଡିୟମ୍ କୁ ନ ଯିବାକୁ ନିଷ୍ପତ୍ତି ନେଇ ମୋହସିନ୍ ନକଭିଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ। ଅନ୍ୟ ଜଣେ ଅଧିକାରୀ ଭାରତୀୟ ଦଳକୁ ପଦକ ପ୍ରଦାନ କରିଥିଲେ।
ମୋହସିନ ନକଭିଙ୍କ ପ୍ରତି ଭାରତୀୟ ଖେଳାଳିମାନଙ୍କର ଏମିତି ଆଭିମୁଖ୍ୟ ୨୦୨୫ ପୁରୁଷ ସିନିୟର ଏସିଆ କପ୍ ସମୟରୁ ଆରମ୍ଭ ହୋଇଥିଲା। ସେହି ଟୁର୍ଣ୍ଣାମେଣ୍ଟରେ, ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇବାକୁ ମନା କରିଥିଲେ। ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ ହେବା ପରେ, ଭାରତୀୟ ଦଳ ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଥିଲା। ଟ୍ରଫି ଏବେ ବି ନକଭିଙ୍କ ପାଖରେ ଅଛି।
ପାକିସ୍ତାନ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି
ପାକିସ୍ତାନ ୧୯ ବର୍ଷରୁ କମ୍ ଏସିଆ କପର ନୂତନ ଚାମ୍ପିଅନ୍ ହୋଇଛି। ଆଉ ଭାରତର ଟାଇଟଲ୍ ଜିତିବାର ସ୍ଵପ୍ନ ହୋଇଛି ଚୂରମାର। ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଟାଇଟଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧମାକାଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ କରିଥିଲା। ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁଷ ମହାତ୍ରେଙ୍କ ସମେତ ସମସ୍ତ ଷ୍ଟାର ଖେଳାଳି ନିରାଶ କରିଥିଲେ।
Also read: U19 Asia Cup 2025 Final: ବୈଭବ-ମହାତ୍ରେ ସବୁ ଫେଲ୍, ଭାରତକୁ ହରାଇ ପାକିସ୍ତାନ ଚାମ୍ପିଅନ