ମୁମ୍ବାଇ: ଆସନ୍ତା ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଭାରତୀୟ ଦଳ ଘୋଷଣା ହୋଇଯାଇଛି । ଶନିବାର ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଘୋଷଣା କରିଛନ୍ତି । ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । କିନ୍ତୁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଖରାପ ଫର୍ମ ପ୍ରଦର୍ଶନ ଜାରି ରଖିଥିବା ଶୁଭମନ ଗିଲ୍ ଦଳରେ ସ୍ଥାନ ପାଇ ନାହାଁନ୍ତି । ଅକ୍ଷର ପଟେଲ୍ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ।
ବିସିସିଆଇ ସଚିବ ଦେବଜୀତ ସୈକିୟା ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଆଜି ଘୋଷଣା ହୋଇଥିବା ଟିମ୍ ଆଗାମୀ ଜାନୁୟାରୀରେ ନ୍ୟୁଜଲ୍ୟାଣ୍ଡ ବିପକ୍ଷରେ ହେବାକୁ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଖେଳିବେ । ଦୀର୍ଘ ଦୁଇ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଈଶାନ କିଶାନ । ୧୫ ସଦସ୍ୟ ଦଳରେ ୱିକେଟ୍ କିପର୍ ତଥା ବ୍ୟାଟ୍ସମ୍ୟାନ୍ ଈଶାନ କିଶନ ଏବଂ ମିଡିଲ୍ ଅର୍ଡର୍ ବ୍ୟାଟର୍ ରିଙ୍କୁ ସିଂହ ସାମିଲ ଅଛନ୍ତି । ଈଶାନ ଧିରେ ଧିରେ ଫର୍ମକୁ ଫେରୁଥିବାରୁ ବିସିସିଆଇ ଚୟନ କର୍ତ୍ତା ଟିମ୍ ତାଙ୍କୁ ଏହି ସୁଯୋଗ ଦେଇଛି ।
ତେବେ ଶୁଭମନ ଗିଲଙ୍କ ଦଳରୁ ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେ ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ଉପଅଧିନାୟକ ଦାୟିତ୍ୱ ତୁଲାଉଥିଲେ । କାନ୍ଧରେ ଆଘାତ ଲାଗିବା ଯୋଗୁଁ ଟେଷ୍ଟ ସିରିଜ୍ ମାତ୍ର ଗୋଟିଏ ମ୍ୟାଚ୍ ଖେଳିପାରିଥିଲେ ।
ଟି-ଟ୍ୱେଣ୍ଟି ଦଳରେ ଅଛନ୍ତି, ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର୍), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍ (ଉପ ଅଧ୍ୟନାୟକ), ରିଙ୍କୁ ସିଂହ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଲଦ୍ୱୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ୍ ସୁନ୍ଦର ଓ ଇଶାନ କିଷାନ (ୱିକେଟ୍ କିପର୍) ।
ଟି-ଟ୍ୱେଣ୍ଟି ବିଶ୍ୱ କପ୍ ହାଇବ୍ରିଡ୍ ମୋଡରେ ଖେଳାଯିବ । ଭାରତ ଓ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳାଯିବ । ଆସନ୍ତା ଫେବୃୟାରୀ ୭ ତାରିଖରୁ ଖେଳ ଆରମ୍ଭ ହେବ । ମାର୍ଚ୍ଚ ୨୦ରେ ଫାଇନାଲ୍ ମୁକାବିଲା ହେବ । ଭାରତୀୟ ଟିମ୍ ଗ୍ରୁପ-ଏରେ ରହିଛି । ଏହି ଗ୍ରୁପରେ ଅନ୍ୟ ଦଳ ମଧ୍ୟରେ ଅଛନ୍ତି, ଯୁକ୍ତ ରାଜ୍ୟ ଆମେରିକା, ନାମିବିୟା, ନେଦରଲ୍ୟାଣ୍ଡ ଓ ପାକିସ୍ତାନ । ଭାରତ ଚାରୋଟି ଭିନ୍ନ ଭିନ୍ନ ଷ୍ଟାଡିୟମରେ ଖେଳିବାକୁ ସୁଯୋଗ ପାଉଛି । ଅରୁଣ ଜେଟଲୀ ଷ୍ଟାଡିୟମ (ଦିଲ୍ଲୀ), ୱାଙ୍ଖଡେ ଷ୍ଟାଡିୟମ (ମୁମ୍ବାଇ), ଆର୍.ପ୍ରେମଦାସା ଷ୍ଟାଡିୟମ (କଲମ୍ବୋ) ଏବଂ ନରେନ୍ଦ୍ର ମୋଦୀ ଷ୍ଟାଡିୟମ (ଅହମ୍ମଦାବାଦ) । ପାକିସ୍ତାନ ସହିତ ହେବାକୁ ଥିବା ମ୍ୟାଚ୍ କଲମ୍ବୋରେ ଖେଳାଯିବ ।