ଭୁବନେଶ୍ୱର: ଭୁବନେଶ୍ୱର ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ ହେବ । ଏ ନେଇ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନର ବିଭାଗୀୟ ବନ ଅଧିକାରୀ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ନିର୍ଦ୍ଦେଶାଳୟକୁ ଚିଠି ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି ଯେ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ଭୁବନେଶ୍ୱର ବନ୍ୟପ୍ରାଣୀ ରେଞ୍ଜ କାର୍ଯ୍ୟାଳୟ କ୍ୟାମ୍ପସରେ କିଛି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖିଥିବା ବହୁତ ଦିନ ଧରି ଜବର ଦଖଲ କରି ରହିଛନ୍ତି । ସରକାରୀ ଜମିରେ ବେଆଇନ ଭାବରେ ବସତି ସ୍ଥାପନ କରିଛନ୍ତି, ଯାହା ଦ୍ଵାରା ଚନ୍ଦକା ବନ୍ୟପ୍ରାଣୀ ବିଭାଗର କାର୍ଯ୍ୟାଳୟ ସହିତ ସାର୍ବଜନୀନ ଗମନାଗମନ ରାସ୍ତା ଏବଂ ପରିମଳ ବ୍ୟବସ୍ଥା ବାଧା ଉତ୍ପନ୍ନ ହେଉଛି । ଏହି ଜବରଦଖଲ ଜମିରେ ବେଆଇନ ଭାବେ କୋଠା ନିର୍ମାଣ କରାଯାଇ ଭଡ଼ା ସୂତ୍ରରେ ମଧ୍ୟ ଦିଆଯାଉଛି । ଏହି ଅନଧିକୃତ ଜବରଦଖଲ କେବଳ ପୌରପାଳିକା ନିୟମାବଳୀକୁ ଉଲ୍ଲଂଘନ କରେ ନାହିଁ ବରଂ ଜନସାଧାରଣ ସୁରକ୍ଷା ଏବଂ ନାଗରିକ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି । ବାରମ୍ବାର ଅନୁରୋଧ ସତ୍ତ୍ୱେ ପରିସ୍ଥିତିରେ ପରିବର୍ତ୍ତନ ହେଉ ନାହିଁ ।
ରେଞ୍ଜ ଅଫିସ କ୍ୟାମ୍ପସ ଏବଂ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ ଅଫିସ କ୍ୟାମ୍ପସର ସୀମା ନିର୍ଦ୍ଧାରଣ ପାଇଁ ବିଏମସି ଦ୍ୱାରା ଜବର ଦଖଲ ଉଚ୍ଛେଦ କରିବାକୁ ବନ ବିଭାଗ ନିବେଦନ କରିଛନ୍ତି ।