ଜଗତସିଂହପୁର: ଭିଜିଲାନ୍ସ ଜାଲରେ ପଡ଼ିଥିବା ଜଗତସିଂହପୁର ଜିଲ୍ଲା ରାହାମା ବନାଞ୍ଚଳ ବନ ଅଧିକାରୀ ରାଜେନ୍ଦ୍ର କୁମାର ସାମନ୍ତରାୟଙ୍କ ବାସଭବନରେ ଚଢ଼ଉ ଜାରି ରହିଛି । ତାଙ୍କ ଘରୁ ପୁଳା ପୁଳା ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରାଯାଇଛି । ଏହା ସହିତ ବହୁମୂଲ୍ୟ କୋଠା ବ୍ୟାଙ୍କ୍ ଜମା ରାଶି ଏବଂ ଜମି ମଧ୍ୟ ଠାବ କରାଯାଇଛି ।
ଭିଜିଲାନ୍ସ ଯାଞ୍ଚ ସମୟରେ ବନ ଅଧିକାରୀଙ୍କ ଘରୁ ଗୋଟିଏ ବହୁ ମୂଲ୍ୟ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍, ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା, ସୁନା ପ୍ରାୟ ୨୦୦ ଗ୍ରାମ, ୬୭ ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା ରାଶି ଇତ୍ୟାଦି ଜବତ ହୋଇଛି । ଜଗତସିଂହପୁରର ଚତରାଠାରେ ପ୍ରାୟ ୫୫୦୦ ବର୍ଗଫୁଟ ଜାଗା ଉପରେ ତିନି ମହାଲ କୋଠା ଛିଡ଼ା ହୋଇଛି । ଦୋନ୍ଦୋ ଅନ୍ତର୍ଗତ ସାମନ୍ତରାୟପୁର ପୈତୃକ ଗ୍ରାମରେ ୨୫୦୦ ବର୍ଗଫୁଟ ଜାଗାରେ ଏକ ଦ୍ୱିମହଲା କୋଠା ରହିଛି । ଜଗତସିଂହପୁର ସହରରେ ୨ଟି ଏବଂ କଟକ ସହର ଉପକଣ୍ଠରେ ଗୋଟିଏ ପ୍ଲଟ୍ ସମେତ ୩ ଟି ମୂଲ୍ୟବାନ ପ୍ଲଟ୍ ରହିଛି । ଏହି କୋଠା ଜମିର ଆକଳନ ଜାରି ରହିଛି । ସେହିପରି ଗୋଟିଏ ଚାରି ଚକିଆ (ବୋଲେରୋ) ଏବଂ ୨ଟି ଦୁଇ ଚକିଆ ଗାଡ଼ି ମଧ୍ୟ ରହିଛି ।
ବନ ଅଧିକାରୀ ସାମନ୍ତରାୟ ୨୬ ନଭେମ୍ବର ୧୯୮୫ରେ ମାସକୁ ୧୫୦୦ ଟଙ୍କା ଦରମା ସହିତ ଫରେଷ୍ଟର ଭାବରେ ଚାକିରିରେ ପ୍ରବେଶ କରିଥିଲେ। ୧୫ ସେପ୍ଟେମ୍ବର ୨୦୨୧ରେ ଡେପୁଟି ରେଞ୍ଜର ଭାବରେ ପଦୋନ୍ନତି ପାଇ ଅନୁଗୁଳ ଫରେଷ୍ଟ ଡିଭିଜନରେ ଯୋଗ ଦେଇଥିଲେ। ପୁନର୍ବାର ୩୧ ଅଗଷ୍ଟ ୨୦୨୩ରେ ରେଞ୍ଜର ପଦବୀକୁ ପଦୋନ୍ନତି ଦିଆଯାଇଥିଲା ଏବଂ ସେ ଜଗତସିଂପୁରର ରାହାମା ବନାଞ୍ଚଳରେ ଯୋଗ ଦେଇଥିଲେ । ବର୍ତ୍ତମାନ ସେ ସେହିଠାରେ କାର୍ଯ୍ୟକରୁଛନ୍ତି । ଜଗତସିଂପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୪ ଦଶନ୍ଧି ଧରି କାର୍ଯ୍ୟ ଜାରି ରଖିଛନ୍ତି ।