ଭୁବନେଶ୍ୱର : ମଣିଷ ପାଇଁ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ ବିବାଦ ସମସ୍ତ ସମସ୍ୟାର ସହଜ ସମାଧାନ ପାଇଁ ଏକଜୁଟ ହେବା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ବିବଧତା ମଧ୍ୟରେ ଏକତାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଡିସେମ୍ବର ୨୦ତାରିଖକୁ ଅନ୍ତର୍ଜାତୀୟ ମାନବ ଏକତା ଦିବସ ଭାବେ ପାଳନ କରାଯାଏ। ମିଳିତ ଜାତିସଂଘ ଏବଂ ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଏହି ଦିବସ ଉପରେ ଅଧିକ ଗୁରୁତ୍ବାରୋପ କରିଥାଆନ୍ତି। ସଦସ୍ୟ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ କରିବା ତଥା ଦାରିଦ୍ର୍ୟ ହ୍ରାସ ରଣନୀତି ପ୍ରସ୍ତୁତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଜାଣନ୍ତୁ କଣ ରହିଛି ଏହି ଦିବସର ଇତିହାସ:
ପ୍ରଥମେ ୨୦୦୫ ମସିହାରେ ବିଶ୍ବ ଶିଖର ସମ୍ମିଳନୀରେ ଜାତିସଂଘ ସାଧାରଣ ସଭା ଦ୍ବାରା ଏହି ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାପରେ ୨୦୦୫ ମସିହା ଡିସେମ୍ବର ୨୨ ତାରିଖରେ ଏହାକୁ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା କରାଯାଇଥିଲା। ମିଳିତ ଜାତିସଂଘର ମତାନୁସାରେ ବିଶ୍ବ ମାନବ ଏକତା ଦିବସ ହେଉଛି ବିବିଧତା ମଧ୍ୟରେ ଆମର ଏକତାକୁ ପାଳନ କରିବାର ଦିନ। ଅନ୍ତର୍ଜାତୀୟ ଚୁକ୍ତିନାମା ପ୍ରତି ଦେଇଥିବା ପ୍ରତିଶୃତିକୁ ସମ୍ମାନ ଦେବା ପାଇଁ ପ୍ରତି ରାଷ୍ଟ୍ରର ସରକାରଙ୍କୁ ମନେପକେଇବା ଆଜି ଦିନର ଉଦ୍ଦେଶ୍ୟ।
ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବୁଝାମଣାକୁ ମନେ ପକାଇବା, ଲୋକଙ୍କୁ ଏକଜୁଟତାର ମହତ୍ତ୍ବ ବୁଝାଇବା, ସାମଗ୍ରିକ ବିକାଶ ଲାଗି ଜନତାଙ୍କୁ ପ୍ରେରିତ କରିବା ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ ଅଟେ। ବିଶ୍ବରେ ଅସମାନତା ଏବଂ ସାମାଜିକ ଅନ୍ୟାୟ ହ୍ରାସ ପାଇଁ ଏକତା ଏକ ସାଧନ। ଏକତା ଲୋକମାନଙ୍କର ସ୍ଥାୟୀ ବିକାଶକୁ ଆଗକୁ ନେଇଥାଏ। ଏହି କାରଣରୁ ଏକତା ଜରୁରୀ ଅଟେ। ଆଜିର ଦିନରେ ଜାତିସଂଘ କାର୍ଯ୍ୟାଳୟ ସମେତ ବିଶ୍ବର ଭିନ୍ନ ଭିନ୍ନ ଦେଶରେ ଗରିବୀ ଓ ରୋଗ ସହ ମୁକାବିଲା କରିବା ଲାଗି ଲୋକଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ କରାଯାଇଥାଏ।
ଅଧିକ ପଢନ୍ତୁ : ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ ରହିବ