ଜଗତସିଂହପୁର: ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ୧୫ ବର୍ଷର ନାବାଳକ। ନାବାଳକ ପୁଅକୁ ସ୍କୁଲରୁ ଡକାଇ ବେଲ୍ଟ ଓ ଜୋତାରେ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଆକୁ ମଧ୍ୟ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ମାନବାଧିକାର କମିଶନ ଓ ପୁଲିସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ପୀଡିତ।
ସୂଚନା ମୁତାବିକ, ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ନାବାଳକ ଛାତ୍ରଙ୍କ ପାଦ, ହାତ ସହ ସ୍ପର୍ଶକତାର ଅଙ୍ଗକୁ ଆଘାତ କରାଯାଇଛି। ମାଡ଼ ଯୋଗୁଁ ବର୍ତ୍ତମାନ ସେ ଭଲ ଭାବେ ଚାଲି ପାରୁନାହାନ୍ତି। ନିର୍ଦ୍ଦିଷ୍ଟ କିଛି ପୁଲିସ ଅଧିକାରୀଙ୍କ ନିର୍ଦ୍ଦେଶରେ ପରିବାର ଲୋକଙ୍କ ଜରିଆରେ ଗତକାଲି ସ୍କୁଲକୁ ଆସିଥିବାବେଳେ ଛାତ୍ରଙ୍କୁ ଡକାଇ ନିଆଯାଇଥିଲା। ଜଗତସିଂହପୁର ଥାନା ପରିବର୍ତ୍ତେ ଅନ୍ୟ ଏକ କୋଠରୀରେ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏହି ମର୍ମରେ ରାଜ୍ୟ ମାନବାଧିକାର କମିଶନ ଓ ପୁଲିସ ଡିଜିଙ୍କୁ ଦରଖାସ୍ତ କରାଯାଇଥିବା ଛାତ୍ରଙ୍କ ମା’ କହିଛନ୍ତି।
ଅଭିଯୋଗ ମୁତାବକ, ଗତ ୧୧ ତାରିଖରୁ ପୋଲିସ ଏହି ଛାତ୍ରଙ୍କ ପରିବାର ପଛରେ ପଡ଼ିଛି। କେବଳ ନାବାଳକ ଛାତ୍ର ନୁହନ୍ତି ପୋଲିସ ନିର୍ଯାତନାର ଶିକାର ହୋଇଛନ୍ତି ତାଙ୍କ ମା’ ଓ ଅନ୍ୟ ଦୁଇ ଭାଇ। ପ୍ରଥମେ ଏକ ଚୋରି ମାମଲାର ଛାନ୍ଭିନ୍ କରିବାକୁ ପୋଲିସ ସଂପୃକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ଉକ୍ତ ଚୋରିରେ ଛାତ୍ରଙ୍କ ବାପା ସଂପୃକ୍ତ ଥିବା ସନ୍ଦେହ କରି ପୋଲିସ ପୂରା ପରିବାର ଲୋକଙ୍କୁ ଜେରା କରିଥିଲେ। ହାତ ଉଠାଇଥିଲେ। ଗତକାଲି ପୁଣି ନାବାଳକ ଛାତ୍ରଙ୍କୁ ପୋଲିସ ଧରିନେଇ ଅକଥନୀୟ ନିର୍ଯାତନା ଦେଇ ପରିବାର ଜିମା ଦେଇଥିଲେ। ଉଭୟ ଆହତ ପିଲା ଓ ମା’ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି। ପ୍ରକୃତରେ ଯଦି ଛାତ୍ରଙ୍କ ବାପା କୌଣସି ଅପରାଧରେ ଜଡ଼ିତ ରହିଛନ୍ତି, ଏ କ୍ଷେତ୍ରରେ ନାବାଳକ ପିଲା ପ୍ରତି ପୋଲିସ ଅତ୍ୟାଚାର କରିବା ସାଧାରଣରେ ଆଲୋଡ଼ନ ଖେଳାଇଛି।
ଅଧିକ ପଢନ୍ତୁ: ଅତି ଅମାନବୀୟ; ବୀମା ଟଙ୍କା ପାଇଁ ଘରେ ସାପ ପୂରାଇ ବାପାକୁ ମାରିଦେଲେ ପୁଅ; ଘଟଣାରେ ୬ଜଣଙ୍କୁ ବାନ୍ଧିଲା ପୋଲିସ