କୋରାପୁଟ : ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ରାଜସ୍ବ ନିରୀକ୍ଷକଙ୍କୁ ପଢେଇବା ବେଳେ ଜମି ଜବର ଦଖଲ ନେଇ ଉଦବେଗ ପ୍ରକାଶ କରି କଥା ଛଳରେ ମନ୍ତ୍ରୀ କହିଛନ୍ତି ଯେ, ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ସେମିତି ବେଆଇନ ଜମି ଜବର ଦଖଲ ଆରଆଇଙ୍କ ଅଜାଣତରେ ହୁଏନି। ଜମି ଜବରଦଖଲ ରୋକିବା ଗୁରୁ ଦାୟିତ୍ୱ ତହସିଲଦାରଙ୍କ ଅପେକ୍ଷା ଆରଆଇଙ୍କର ଅଧିକ ବୋଲି ସେ କହିଛନ୍ତି। ଆପଣଙ୍କ କଲମ ହିଁ ଆପଣଙ୍କ ପରିଚୟ । ଆପଣଙ୍କ ଦରମା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଯେପରି ଆସୁଛି ସେହିପରି ଆପଣଙ୍କ କର୍ମର ଫଳାଫଳ ଭଗବାନଙ୍କ ଆକାଉଣ୍ଟରେ ଆସିବ ବୋଲି ମନ୍ତ୍ରୀ କହିଛନ୍ତି। ଅବ୍ୟବହୃତ ସରକାରୀ କ୍ୱାର୍ଟର୍ସ ରାଜ୍ୟରେ ବିକାଶରେ ବ୍ୟବହାର ହେବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି ଶୁକ୍ରବାର ଠାରୁ କୋରାପୁଟ ଗସ୍ତରେ ଅଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏହି ଅବସରରେ ଆଜି କୋରାପୁଟ ଜିଲ୍ଲା ଜୟପୁର ଠାରେ ରାଜସ୍ବ ନିରୀକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଉଦ୍ଘାଟନ ଉତ୍ସବରେ ଯୋଗଦେଇ ରାଜସ୍ବ ନିରୀକ୍ଷକମାନଙ୍କୁ ମନ୍ତ୍ରୀ ଅନେକ ପରାମର୍ଶ ଦେଇଛନ୍ତି।