ପୁରୀ: ନୂଆବର୍ଷ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି । ନୂଆବର୍ଷ ଦିନ ପୁରୀରେ ପାଖାପାଖି ୪ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଡିଆଇଜି ଡଃ ସତ୍ୟଜିତ ନାୟକ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ରୂପରେଖ ଚୂଡ଼ାନ୍ତ କରିଛନ୍ତି। ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ପରେ, ଓଡ଼ିଶା ପୋଲିସ ପକ୍ଷରୁ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଏହା ସହ ତଦାରଖ ପାଇଁ ୧୦ ଜଣ ଅତିରିକ୍ତ ଏସପି , ୩୩ ଜଣ ଡିଏସପି ଏବଂ ୩୦୦ ରୁ ଅଧିକ ଅଧସ୍ତନ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ କଠୋର ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଦିଷ୍ଟ ପାର୍କିଂ ଜୋନ୍ , ବ୍ୟାରିକେଡ୍ ଏବଂ ସାର୍ବଜନୀନ ସମ୍ବୋଧନ ବ୍ୟବସ୍ଥା କରାଯାଇଛି । ମନ୍ଦିର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଏବଂ ବେଳାଭୂମିରେ ଏକତ୍ରିତ ହେଉଥିବା ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏଥିସହିତ, ପର୍ବର ପବିତ୍ରତା ବଜାୟ ରଖିବା ପାଇଁ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ 'ଜିରୋ ଟଲରାନ୍ସ' ନୀତି ଆପଣାଯାଇଛି। ଏଥିରେ ଜଣାଶୁଣା ଅପରାଧୀଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅଧୀନରେ ପ୍ରତିବନ୍ଧକମୂଳକ କାର୍ଯ୍ୟାନୁଷ୍ଠାନ ଏବଂ ବେଆଇନ ନିଶାଦ୍ରବ୍ୟ ଜବତ ପାଇଁ ଚଢ଼ାଉକୁ ଜୋରଦାର କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ଏବଂ ଯେକୌଣସି ଘଟଣାର ତୁରନ୍ତ ମୁକାବିଲା ପାଇଁ ୨୪/୭ କଣ୍ଟ୍ରୋଲ ରୁମ୍ ସକ୍ରିୟ ରହିବ । ଶାନ୍ତି ବଜାୟ ରଖି ମହାପ୍ରଭୁଙ୍କ ଦର୍ଶନ କରିବା ସହ ବେଳାଭୂମି ବୁଲିବାକୁ ନିବେଦନ କରାଯାଇଛି ।