ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଦୁର୍ଘଟଣାରେ ଜଣେ ସିବିଆଇ ଓକିଲଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ରେ ପ୍ରୋସିକ୍ୟୁଟିଂ ଅଫିସର ଶେଖ ଆଦିଲ (୩୫) ।
ରାମବନ ଜିଲ୍ଲାରେ ଜାତୀୟ ରାଜପଥ ଉପରେ ଏକ ଦ୍ରୁତଗାମୀ କାର୍ ଆଇନଜୀବୀଙ୍କ କାରକୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶେଖ ଆଦିଲଙ୍କୁ ଉଦ୍ଧାର କରି ବନିହାଲ ଉପ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ରାମବନ ଜିଲ୍ଲା ଏସପି ଅରୁଣ ଗୁପ୍ତା କହିଛନ୍ତି ଯେ ଶେଖ ଆଦିଲ ମାତ୍ର ଦୁଇ ମାସ ପୂର୍ବେ ସିବିଆଇରେ ଯୋଗ ଦେଇଥିଲେ । ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ସେ ଚଣ୍ଡିଗଡ଼ରେ କାର୍ଯ୍ୟରତ ଥିଲେ । ଦୁର୍ଘଟଣା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଆଇନଜୀବୀଙ୍କ କାର୍ ଯାଉଥିବା ସମୟରେ ଏକ ସ୍କର୍ପିଓ ଦ୍ରୁତ ଗତିରେ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇ ଆଉ ଏକ କାର୍ ସହ ଧକ୍କା ହେଉଛି । ଏହା ପରେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ସେଠାରୁ ଫେରାର ହୋଇଯାଉଛି । ତାଙ୍କ କାରକୁ ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ି ଚାଳକ ମହମ୍ମଦ ଶଫୀଙ୍କୁ ଗିରଫ କରାଯାଇଛି ।