କେନ୍ଦୁଝର: ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପ୍ରଥମେ ମୁଖ୍ୟମନ୍ତ୍ରୀ ପଳାସପଙ୍ଗା ଲ୍ୟାମ୍ପରେ ପହଞ୍ଚି ଜିଲ୍ଲାର ୨୦୨୫-୨୬ ବର୍ଷର ଖରିଫ ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରୁ ଆସି ହେଲିକ୍ୟାପ୍ଟର ଯୋଗେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସେ ସଡ଼କପଥରେ ସେଠାରୁ ଆସି ପଳାଶପଙ୍ଗାରେ ପହଞ୍ଚି ଚଳିତ ବର୍ଷର ଧାନ କିଣା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ଚାଷୀମାନେ ତାଙ୍କର ଉତ୍ପାଦିତ ଧାନର ସର୍ବାଧିକ ମୂଲ୍ୟ କିଭଳି ପାଇବେ, ପ୍ରଥମେ ମୁଖ୍ୟମନ୍ତ୍ରୀ ଲ୍ୟାମ୍ପସ୍ କତ୍ତୃପକ୍ଷଙ୍କ ଠାରୁ ଏ ସମ୍ପର୍କରେ ସବିଶେଷ ଅବଗତ ହୋଇଥିଲେ । କିଭଳି ଭାବରେ ବେଆଇନ କଟନି ଛଟନି ହେବ ନାହିଁ ସେନେଇ କହିବା ସହ ଧାନକିଣା ପ୍ରକ୍ରିୟାରେ ଦଲାଲ ଏବଂ ଧାନ କିଣାରେ ଦୁର୍ନୀତି କରୁଥିବା ଲୋକଙ୍କୁ ଜେଲ୍ ପଠାଯିବ ବୋଲି କହିଥିଲେ।
ଏଥିସହ ଧାନ ଚାଷ ସହ ଚାଷୀ ମାନେ ପନିପରିବା ଡାଲି ଜାତୀୟ ଖାଦ୍ୟ ଶସ୍ୟ,ମାଣ୍ଡିଆ ଚାଷ କରି ଚାଷୀମାନେ ଅଧିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବ ସରକାର ସମୟରେ ଚାଷୀ, ଚାଷରେ କ୍ଷତି ସହୁଥିବା କାରଣରୁ ଚାଷ ଛାଡିବା ସହ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଥିଲା ହେଲେ ବର୍ତ୍ତମାନର ସରକାର ସମୟରେ ସରକାରଙ୍କର ଚାଷୀ ଙ୍କ ପ୍ରତି ଅଧିକ ପ୍ରୋତ୍ସାହନ କାରଣରୁ ଅଧିକ ମାତ୍ରାରେ ଚାଷୀମାନେ ଧାନଚାଷ କରିବା ସହ ଏବର୍ଷ ଅଧିକ ମାତ୍ରାରେ ଚାଷୀମାନେ ଧାନବିକ୍ରୀ ପାଇଁ ପଞ୍ଜିକରଣ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।