ଜଗତସିଂହପୁର: ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ହୋଇଛି। ଯାତ୍ରା ଅଷ୍ଟଶମ୍ଭୁ ଖଳନାୟକ ନରୀ ଭାଇ ଭାବେ ବେଶ ପରିଚିତ ଅଭିନେତା ଆଉ ନାହାଁନ୍ତି। କେନ୍ଦୁମୁଣ୍ଡା ସିନାପାଲି ନୂଆପଡାରେ ତାଙ୍କ ପାଟି ଆଜି ପଡିଥିଲା। ଆଜିର ନାଟକ ଥିଲା ଦଇବ ଦଉଡି ମଣିଷ ଗାଇ। ଆଜି ସାକଳୁ ନରେନ୍ଦ୍ରଙ୍କ ଛାତିରେ ହଠାତ୍ ଯନ୍ତ୍ରଣା ଅନୁଭବ ହେବାରୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ। ହେଲେ ପୁଣିଥରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତେବେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।
ନରେନ୍ଦ୍ର ଦାସଙ୍କ ଘର ଜଗତସିଂହପୁର ଜିଲା ଡିହସାହିରେ। ଚଳିତ ବର୍ଷ ସେ ଅଷ୍ଟଶମ୍ଭୁ ଅପେରାରେ ଖଳାନାୟକ ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେ ଅନ୍ୟ ଲୋକପ୍ରିୟ ଗଣନାଟ୍ୟରେ କାମ କରିଛନ୍ତି। ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକିଛି ମାସ ତଳେ ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ଗୁରୁ ପୃଷ୍ଟିଙ୍କ ଦେହାନ୍ତ ହୋଇଥିଲା । ଆଉ ଏବେ ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ ଯାତ୍ରା ଜଗତରେ ଅପୂରଣୀୟ କ୍ଷତି ଆଣିଛି।
ଅଧିକ ପଢନ୍ତୁ:ପରଲୋକରେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି