ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଥିବା ସର୍ତ୍ତମୂଳକ ଜାମିନ ବିରୋଧରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଉନ୍ନାଓ କେସର ପୀଡିତାଙ୍କ ପରିବାର ଓ ଅନ୍ୟ ମହିଳା କାର୍ଯ୍ୟକର୍ତ୍ତା ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ବାହାରେ ଜାମିନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଅସନ୍ତୋଷ ଜାହିର କରିଛନ୍ତି।
ଦିଲ୍ଲୀ ପୋଲିସ ବିକ୍ଷୋଭକାରୀଙ୍କୁ ସେଠାରେ ବିରୋଧ ପ୍ରଦର୍ଶନ ନ କରିବାକୁ ଅପିଲ୍ କରିଛି । ଏହା ସହିତ ଚେତାବନୀ ଦେଇଛି ଯେ, ଏଠାରେ ପ୍ରଦର୍ଶନ କରିବା ମନା ଓ ବେଆଇନ ମଧ୍ୟ । ନଚେତ୍ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଯଦି ଆପଣ ବିରୋଧ ପ୍ରଦର୍ଶନ କରିବାକୁ ଚାହାନ୍ତି ତେବେ ଜନ୍ତର ମନ୍ତର ଯାଆନ୍ତୁ ।
ଦୁଷ୍କର୍ମ ପୀଡିତାଙ୍କ ମାଆ କହିଛନ୍ତି, ଜାମିନ ଖାରଜ କରାଯିବା ଉଚିତ୍ । ସେ ଜୋର ଦେଇ କହିଛନ୍ତି, ନ୍ୟାୟ ପାଇଁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । ହାଇକୋର୍ଟଙ୍କ ନିଷ୍ପତ୍ତି ସେମାନଙ୍କୁ ବେଶ ମର୍ମାହତ କରିଥିବା ପୀଡିତାଙ୍କ ମାଆ କହିଛନ୍ତି । ଯଦି ଆମେ ସୁପ୍ରିମକୋର୍ଟରୁ ନ୍ୟାୟ ନ ମିଳେ ତେବେ ଆମେ ଅନ୍ୟ ଦେଶ ଯିବୁ । ମୋ ସ୍ୱାମୀଙ୍କ ହତ୍ୟାକାରୀକୁ ତୁରନ୍ତ ଫାଶି ମିଳିବା ଉିଚତ୍
ମହିଳା ସାମାଜିକ କର୍ମୀ ଯୋଗିତା ଭୟାନା କହିଛନ୍ତି, ସେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ପାଇଁ ନ୍ୟାୟ ଦାବିରେ ଶାନ୍ତିପୂର୍ବକ ଦିଲ୍ଲୀ ହାଇକୋର୍ଟ ଆସିଛନ୍ତି । କୋର୍ଟଙ୍କୁ ଆମର ଅନୁରୋଧ ପିଟିସନ ଉପରେ ଶୁଣାଣି କରାଯାଉ । ଯଦି ନ୍ୟାୟ ନ ମିଳେ ତେବେ ବିରୋଧ ପ୍ରଦର୍ଶନ କରିବୁ । ସେ ଏହା ମଧ୍ୟ କହିଛନ୍ତି, ନ୍ୟାୟ ପାଇଁ ଆନ୍ଦୋଳନ କରିବା ଆମର ଅଧିକାର ।
ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ସଜା ଉପରେ ରୋକ୍ ଲଗାଇ ଜାମିନ ପ୍ରଦାନ କରିଛନ୍ତି । ଦିଲ୍ଲୀର ସିବିଆଇ କୋର୍ଟ ସେଙ୍ଗରଙ୍କୁ ଜଣେ ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲା । ସେଙ୍ଗର ଆଜୀବନ କାରାଦଣ୍ଡ କାଟୁଥିଲେ । ତାଙ୍କୁ ୧୫ ଲକ୍ଷ ଟଙ୍କାର ମୁଚଲିକାରେ ଜାମିନ ପ୍ରଦାନ କରାଯାଇଛି ।
Also read: ନାଇଜେରିଆରେ ISISର ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ, ଟ୍ରମ୍ପ କହିଲେ- Merry Christmas To Terrorists