କଟକ: ଆଜି ବିଜୁ ଜନତା ଦଳ ରାଜ୍ୟବ୍ୟାପୀ ନିଜ ପ୍ରତିଷ୍ଠା ଦିବସ ପାଳୁଛି। ଏହି ପରିପେକ୍ଷୀରେ କଟକରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ଖୋଲା ମଞ୍ଚରେ ବିସ୍ଫୋରକ ବୟାନ୍ ଦେଇଛନ୍ତି ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ସଭା ମଞ୍ଚରେ ପାଣ୍ଡିଆନ ଦମ୍ପତିଙ୍କ ସପକ୍ଷରେ ଖୋଲା ସମର୍ଥନ ଦେଇ ସେ ବିଜେଡ଼ିର ଶୀର୍ଷ ନେତାଙ୍କ ନାଁ ନେଇ ତୀବ୍ର ଆକ୍ରମଣ କରିଛନ୍ତି। କେବଳ ସେତିକି ନୁହେଁ ନିଜ ବୟାନରେ ଦଳ ଭିତରେ ଚାଲୁଥିବା ଅସନ୍ତୋଷକୁ ସେ ସାମ୍ନାକୁ ଆଣିଛନ୍ତି।
ଆଜି ମଞ୍ଚରୁ ଭାଷଣ ବେଳେ ସିଧାସଳଖ କହିଛନ୍ତି, ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ତାଙ୍କ ଧର୍ମପତ୍ନୀ ଦଳ ଓ ରାଜ୍ୟ ପାଇଁ ନିଷ୍ଠାର ସହ ଦିନ ରାତି ପରିଶ୍ରମ କରିଛନ୍ତି। ତେବେ ଲୋକଙ୍କ ସେବା ପାଇଁ ଏକ IAS ଭଳି ଶୀର୍ଷ ଚାକିରୀ ଛାଡ଼ିଦେବା କୌଣସି ସାଧାରଣ କଥା ନୁହେଁ ବୋଲି କହିଛନ୍ତି ପ୍ରଭାତ। କେବଳ ସେତିକି ନୁହେଁ, ଯଦି ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଯଦି କୌଣସି ପ୍ରକାରର ଅନ୍ୟାୟ, ଅବିଚାର ହୁଏ, ତେବେ ଆବଶ୍ୟକ ପଡିଲେ ସେ ତାହାର ଖୋଲା ବିରୋଧ କରିବେ ବୋଲି ମଧ୍ୟ କହିଛନ୍ତି।
ଏଥିସହ ବିଜୁ ଜନତା ଦଳ ଭିତରେ ଥିବା କିଛି କୁଚକ୍ରୀ ଗୋଷ୍ଠୀ ଲୋକଙ୍କୁ ଟାର୍ଗେଟ କରି ପ୍ରଭାତ କହିଛନ୍ତି, କିଛି ଲୋକ ଦଳର ‘ଚାବି’ ଚୁପ ଚାପେ ଲୁଚେଇକି ନେଇଛନ୍ତି। ସେଇ ଚାବିକୁ ଶୀଘ୍ର ଫେରାଇ ଦିଅନ୍ତୁ। ସେହିପରି ଦଳର ଟାଣୁଆ ଶୀର୍ଷ ନେତାଙ୍କ ନାଁ ନେଇ ସିଧାସଳଖ ବର୍ଷିଛନ୍ତି ପ୍ରଭାତ। ବବି ଦାସ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା ଏବଂ ପ୍ରତାପ କେଶରୀ ଦେବଙ୍କ ନାଁ ନେଇ ପ୍ରଭାତ କହିଛନ୍ତି ମୁଖିଆଙ୍କୁ ଭ୍ରମିତ କରନ୍ତୁ ନାହିଁ, କି ଦଳକୁ ଦୁର୍ବଳ କରନ୍ତୁ ନାହିଁ। ତେବେ ପ୍ରଭାତଙ୍କ ଏହି ବିସ୍ଫୋରକ ବୟାନ୍ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
ଅଧିକ ପଢନ୍ତୁ: ହାରିବା ପରେ ବିଜେଡିରେ ଏକତା ନାହିଁ : ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ