ପାରାଦୀପ ବନ୍ଦରରେ ଲାଗିଥିବା ଏକ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ଏକ ସାମୁଦ୍ରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାନୁଆରୀ ୫ରେ ଆରମ୍ଭ ହେବାକୁ ଥିବା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ହାଇକୋର୍ଟରେ ଏହି ମାମଲା ଏମଭି ଦି ପାଟ୍ରନ ଟିମ ଆଇଏମଓ-481439 ଜାହାଜ ବିରୋଧରେ କରାଯାଇଛି। ପ୍ରତିପକ୍ଷ ଏମଭି ଦି ପାଟ୍ରନ ଟିମକୁ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଥିବା ବେଳେ ଜାନୁଆରୀ ୫ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ୨୦୨,୦୦୦ ଆମେରିକୀୟ ଡଲାର ଦାବି କରି ଜଲଧି ଓଭରସିଜ ପିଟିଇ ଲିମିଟେଡ଼ ପକ୍ଷରୁ ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ବିରୋଧରେ ଏହି ମାମଲା ରୁଜୁ ହୋଇଛି ।
ଏମଭି ଦି ପାଟ୍ରନ ଆଇଏମଓ-481439 ଜାହାଜ ପାରାଦୀପ ବନ୍ଦର ଛାଡି ଦେଲେ ଏହି ମାମଲା ନିରର୍ଥକ ହେବ ବୋଲି ଆବେଦନକାରୀ ଦର୍ଶାଇଥିବା ବେଳେ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ । ଏହି ଅନ୍ତରୀଣ ଆବେଦନକୁ ଗ୍ରହଣ କରି ଓଡିଶା ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।