ଲକ୍ଷ୍ନୌ: ଉଦଘାଟନ ହେବାର ମାତ୍ର ୨୪ ଘଣ୍ଟା ଭିତରେ ‘ରାଷ୍ଟ୍ର ପ୍ରେରଣା ସ୍ଥଳ’ରୁ ଚୋରି ହୋଇଗଲା ଲକ୍ଷାଧିକ ଟଙ୍କାର ଫୁଲ କୁଣ୍ଡ । ସ୍ଥାନୀୟ ଲୋକେ ପ୍ରାୟ ୭୦୦୦ ଫୁଲ କୁଣ୍ଡ ଚୋରି କରି ନେଇଯାଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ । ପ୍ରେରଣା ସ୍ଥଳରେ ୬୦ ଲକ୍ଷ ଟଙ୍କାର ହର୍ଟିକଲ୍ଚର୍ ପ୍ରକଳ୍ପରେ ଫୁଲ ଲଗାଯାଇଥିଲା ।
ଗୁରୁବାର ଅପରାହ୍ନ ୨ଟା ୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରାଷ୍ଟ୍ର ପ୍ରେରଣା ସ୍ଥଳ’କୁ ଲୋକର୍ପିତ କରିଥିଲେ । ସମାରୋହ ଶେଷ ହେବା ମାତ୍ର ସନ୍ଧ୍ୟାରେ ଫୁଲ କୁଣ୍ଡ ଚୋରି ହେବାକୁ ଲାଗିଲା । ସ୍ଥାନୀୟ ଲୋକେ ଆସିଲେ ଗାଡ଼ି ରଖି ଫୁଲ କୁଣ୍ଡ ଉଠାଇ ନେଲେ । ଯାହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଲକ୍ଷ୍ନୌ ଉନ୍ନୟନ କର୍ତ୍ତୃପକ୍ଷ ସେହି ସ୍ଥାନରେ ୩୦ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି କରିଛନ୍ତି । ତଥାପି ସ୍ଥାନୀୟ ଲୋକେ ଫୁଲ କୁଣ୍ଡ ଚୋରି କରିବାରେ ବ୍ୟସ୍ତ।
ଏଲଡିଏ ଉପାଧ୍ୟକ୍ଷ ପ୍ରଥମେଶ କୁମାର କହିଛନ୍ତି , ଏ ନେଇ ଲିଖିତ ଅଭିଯୋଗ କରାଯାଇଛି ଏବଂ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ମାମଲାରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପଦକ୍ଷେପ ଗ୍ରହଣ କରାଯିବ । ଅବଶିଷ୍ଟ ଫୁଲ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର ମଧ୍ୟ କରାଯାଇଛି ।
ଦେଶର ତିନି ପ୍ରମୁଖ ବ୍ୟକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ଦୀନ ଦୟାଲ ଉପାଧ୍ୟାୟ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି । ୬୫ ଏକର ପରିମିତ ସ୍ଥାନରେ ୬୫ ଫୁଟ୍ ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତୀ ନିର୍ମାଣ କରାଯାଇଛି ।