ଭୁବନେଶ୍ୱର : ଫେବୃଆରୀରୁ ପ୍ରଦୂଷଣ ସାର୍ଟିଫିକେଟ୍ ଥିଲେ ଗାଡ଼ିରେ ଲାଗିବ ସବୁଜ ଷ୍ଟିକର। ଏହି ଷ୍ଟିକର ଦେଖିଲେ ଯାଇ ପେଟ୍ରୋଲ୍ ପମ୍ପରେ କର୍ମଚାରୀ ତେଲ ଦେବେ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ଯେ, ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବ କଥା। ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପ୍ରଦୂଷଣ ସାର୍ଟିଫିକେଟ୍ କୋହଳ କରାଯାଇଛି। ଯାହାର ପ୍ରଦୂଷଣ ପ୍ରମାଣପତ୍ର ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ପର୍ଯ୍ୟାଲୋଚନା କରୁଛୁ। ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି। ୨୦୧୯ ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ।
ସୂଚନାଯୋଗ୍ୟ ନୂଆ ବର୍ଷ ଅର୍ଥାତ ଜାନୁଆରୀ ୧ ତାରିଖରୁ ନିୟମ ଲାଗୁ କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ପଲ୍ୟୁସନ ସାର୍ଟିଫିକେଟ୍ ନଥିଲେ ପେଟ୍ରୋଲ ପମ୍ପର ତେଲ ମିଳିବନି ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ଏହା ସହିତ ଯଦି ଗାଡ଼ିର ଚାଲାଣ ବାକି ଅଛି ତେବେ ମଧ୍ୟ ପଲ୍ୟୁସନ ସାର୍ଟିଫିକେଟ୍ ମିଳିପାରିବ ନାହିଁ ଆଉ ପଲ୍ୟୁସନ ସାର୍ଟିଫିକେଟ ନମିଳିଲେ ଗ୍ରୀନ୍ ଷ୍ଟିକର ବି ମିଳିବନି ବାେଲି କହିଥିଲେ ସରକାର । କିନ୍ତୁ ଏବେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଥିବାରୁ ଏହି ସମୟ ଅବଧିକୁ ଆଉ ଏକ ମାସ ବୃଦ୍ଧି କରିଛନ୍ତି ସରକାର । ଫେବୃଆରୀ ୧ ତାରିଖ ଭିତରେ ଯଦି ଗାଡ଼ିରେ ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ । ଏହି ସବୁଜ ଷ୍ଟିକର ଗାଡ଼ିରେ ସେତେବେଳେ ଲାଗିବ, ଯେତେବେଳେ ଗାଡ଼ି ନାଁରେ ଥିବା ସବୁ ଫାଇନ୍ ଆପଣ ଭରିଥିବେ, ଅର୍ଥାତ୍ କୌଣସି ଚାଲାଣ ବାକି ନଥିବ । ଏହା ପରେ ଯାଇ ଆପଣଙ୍କୁ ମିଳିବ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ । ଏହାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲମ୍ବା ଲାଇନ ଲାଗୁଛି।