ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସମସ୍ତ ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀମାନଙ୍କୁ ସେମାନଙ୍କର ବାର୍ଷିକ ସମ୍ପତ୍ତି ତାଲିକା ନିର୍ଦ୍ଧାରିତ ସମୟ ଭିତରେ ଦାଖଲ କରିବାକୁ କହିଛନ୍ତି, ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏଥିରେ ବିଳମ୍ବ ହେଲେ ବାବୁ ମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରେ ଏବଂ ପଦୋନ୍ନତିକୁ ଅବରୋଧ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେବା ନିୟମ ଅନୁଯାୟୀ, IAS ଅଧିକାରୀମାନଙ୍କୁ ଆସନ୍ତା ବର୍ଷ ଜାନୁଆରୀ ୩୧ ତାରିଖ ସୁଦ୍ଧା ସେମାନଙ୍କର ସ୍ଥାବର ସମ୍ପତ୍ତି ରିଟର୍ଣ୍ଣ (IPR) ଦାଖଲ କରିବାକୁ ବାଧ୍ୟ। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଦେଶର ସମସ୍ତ ଆଇଏଏସ୍ ଅଫିସରଙ୍କ ପାଇଁ ସମୟସୀମା ଜାନୁଆରୀ ୩୧ ଯାଏଁ ଧାର୍ଯ୍ୟ କରାଯାଇଛି। ପର୍ଯ୍ୟାପ୍ତ ଯଥାର୍ଥ କାରଣ ନ ଥାଇ ଏଥିରେ କେହି ବିଫଳ ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଚିତ ସମୟରେ ଆଇପିଆର୍ ଫାଇଲିଂକୁ ବାଧ୍ୟତାମୂଳକ କରାଯିବା ସମ୍ପର୍କିତ ନିୟମରେ ସଂଶୋଧନ ଅଣାଯାଇଛି, ଯାହାକି ଅଫିସରମାନଙ୍କ ପରବର୍ତ୍ତୀ ପଦୋନ୍ନତି କ୍ଷେତ୍ରରେ ବିଚାରଯୋଗ୍ୟ ହେବ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
ପ୍ରକ୍ରିୟାକୁ ସରଳ କରିବା ପାଇଁ, କାର୍ମିକ ଏବଂ ତାଲିମ ବିଭାଗ (DoPT) ଜାନୁଆରୀ ୨୦୧୭ ରେ SPARROW ପୋର୍ଟାଲ୍ ମାଧ୍ୟମରେ IPR ର ଅନଲାଇନ୍ ଫାଇଲିଂ ବ୍ୟବସ୍ଥା ଆରମ୍ଭ କରିଥିଲା। ତେବେ ଅଧିକାରୀମାନେ ସେମାନଙ୍କ ସମ୍ପତ୍ତି ବିବରଣୀ ସମ୍ପର୍କିତ ଦସ୍ତାବିଜ ଇଲେକ୍ଟ୍ରୋନିକାଲି କିମ୍ବା ମାନୁଆଲି ପୂରଣ ହୋଇଥିବା ଫର୍ମର ସ୍କାନ କପି ଅପଲୋଡ୍ କରିପାରିବେ। ଦାଖଲ କରିବା ପାଇଁ ଗତ ୨୩ରେ କେନ୍ଦ୍ର ସରକାରଙ୍କ ସବୁ ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି କରାଯାଇଛି। ୨୦୨୬ ଜାନୁଆରୀ ୩୧ ପରେ ୨୦୨୫ ବର୍ଷର ଆଇପିଆର୍ ଅନ୍ଲାଇନ୍ ମଡ୍ୟୁଲ ସ୍ବତଃ ବନ୍ଦ ହୋଇଯିବ। ତେଣୁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ: ଉନ୍ନାଓ ଦୁଷ୍କର୍ମ କେସ, ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ SCର ଦ୍ଵାରସ୍ଥ ସିବିଆଇ