ନୂଆଦିଲ୍ଲୀ: ୨୦୨୫ ମସିହାରେ ଭାରତରେ ମହିଳା ସୁରକ୍ଷା ଏକ ଜଟିଳ ସମସ୍ୟା ହୋଇ ଛିଡ଼ା ହୋଇଛି । ବିଶେଷକରି ସହରରେ ମହିଳା ମାନେ ନିଜକୁ ଅଧିକ ଅସୁରିକ୍ଷତ ଅନୁଭବ କରୁଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁଯାୟୀ ଦେଶର ୪୦% ମହିଳା ସହରଗୁଡ଼ିକରେ ଅସୁରକ୍ଷିତ ଅନୁଭବ କରନ୍ତି।
ଏସସିଆରବି ରିପୋର୍ଟ ଅନୁଯାୟୀ ୨୦୨୩ରେ ମହିଳା ବିରୋଧୀ ଅପରାଧର ୪,୪୮,୨୧୧ ମାମଲା ପଞ୍ଜିକୃତ ହୋଇଥିଲା । ଯାହା ୨୦୨୨ରେ ୪,୪୫,୨୫୬ ମାମଲାରୁ ସାମାନ୍ୟ ବୃଦ୍ଧି ପାଇଛି। ଜାତୀୟ ଅପରାଧ ହାର ପ୍ରତି ଲକ୍ଷ ମହିଳାଙ୍କ ପାଇଁ ୬୬.୨ ମାମଲା ଥିଲା, ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ନିଷ୍ଠୁରତା ୨୯.୮% ସବୁଠାରୁ ପ୍ରମୁଖ ବର୍ଗରେ ରହିଛି । ତେବେ ସହରରେ ମହିଳାମାନେ ନିଜକୁ ଅଧିକ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଜାତୀୟ ମହିଳା କମିଶନର ଜାତୀୟ ବାର୍ଷିକ ରିପୋର୍ଟ ଏବଂ ମହିଳା ସୁରକ୍ଷା ସୂଚକାଙ୍କ ୨୦୨୫ ସର୍ଭେ ଅନୁଯାୟୀ ୩୧ଟି ସହରର ୧୨ ହଜାର ୭୭୦ ମହିଳାଙ୍କ ସହିତ ସାକ୍ଷାତକାର ଉପରେ ଆଧାରିତ, ଦେଶରେ ୪୦% ମହିଳା ସହରଗୁଡ଼ିକରେ ଅସୁରକ୍ଷିତ ଅନୁଭବ କରନ୍ତି।
୨୦୨୪ରେ ୭% ମହିଳା ସାର୍ବଜନୀନ ସ୍ଥାନରେ ନିର୍ୟ୍ୟାତନାର ସମ୍ମୁଖୀନ ହୋଇଥିଲେ, ଯାହା ୧୮-୨୪ ବର୍ଷ ବୟସର ଯୁବତୀଙ୍କ ମଧ୍ୟରେ ୧୪% କୁ ବୃଦ୍ଧି ପାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରାୟ ଦୁଇ-ତୃତୀୟାଂଶ ବା ୬୭% ନିର୍ଯ୍ୟାତନା ଘଟଣା ରିପୋର୍ଟ କରାଯାଏ ନାହିଁ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ର ତଥ୍ୟ ଅନୁସାରେ ପ୍ରାୟ ୩୨% ବିବାହିତ ମହିଳା ସେମାନଙ୍କ ଜୀବନକାଳରେ ସେମାନଙ୍କ ସ୍ୱାମୀଙ୍କଠାରୁ ଶାରୀରିକ, ଯୌନ କିମ୍ବା ଭାବପ୍ରବଣ ହିଂସାର ସମ୍ମୁଖୀନ ହୋଇଛନ୍ତି । ଘରୋଇ ହିଂସା, ସାର୍ବଜନୀନ ଉତ୍ପୀଡ଼ନ, ଅନଲାଇନ୍ ଧମକ ଏବଂ ଜଣାଶୁଣା ଅପରାଧୀମାନଙ୍କ ଦ୍ୱାରା ନିର୍ଯ୍ୟାତନା ପ୍ରାୟତଃ ରିପୋର୍ଟ କରାଯାଇ ନଥାଏ, କାରଣ ସାମାଜିକ ଚାପ, ପାରିବାରିକ ସମ୍ମାନ, ପୋଲିସ ପ୍ରତି ଅବିଶ୍ୱାସ ଏବଂ ଲମ୍ବା ଆଇନଗତ ପ୍ରକ୍ରିୟା ଯୋଗୁଁ ମାମଲା ହୋଇ ନ ଥାଏ ।
ମହିଳା ହିଂସାରେ ତେଲେଙ୍ଗାନା (୧୨୪.୯), ରାଜସ୍ଥାନ (୧୧୪.୮), ଏବଂ ଦିଲ୍ଲୀ (୧୩୩.୬) ରେ ହାର ଜାତୀୟ ହାରାହାରି ଦୁଇଗୁଣରୁ ଅଧିକ । ପଡ଼ୋଶୀ ଦ୍ୱାରା ୩୮% ଏବଂ ସାର୍ବଜନୀନ ପରିବହନ ୨୯% ନିର୍ୟ୍ୟାତନାର ପ୍ରମୁଖ ସ୍ଥାନ ହୋଇ ରହିଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୫ ରେ ମହିଳା ସୁରକ୍ଷା ଏକ ନିତିଦିନିଆ ଯୁଦ୍ଧରେ ପରିଣତ ହୋଇଛି । ଯେଉଁଠାରେ ନୀରବତା ଏବଂ ଆପୋଷ ବୁଝାମଣା ପ୍ରାୟତଃ ନ୍ୟାୟ ବ୍ୟବସ୍ଥାକୁ ପଛରେ ପକାଇ ଦେଉଛି । ପୋଲିସ ସଂସ୍କାର, ସାମାଜିକ ସଚେତନତା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରୀତା ଆବଶ୍ୟକ।