ନୂଆଦିଲ୍ଲୀ: ଅସହ୍ୟ ଶୀତର ଦାଉରୁ ରକ୍ଷା ପାଇବାକୁ ଘରେ ଭିତରେ ଜଳା ଯାଉଥିବା ନିଆଁ ମୃତ୍ୟୁର କାରଣ ପାଲଟିଯାଉଛି । ନିଆଁର ଧୂଆଁରେ ନିଚ୍ଛିନ୍ନ ହୋଇଯାଉଛି ସମ୍ପୂର୍ଣ୍ଣ ପରିବାର । ବିହାରର ଛପରା ସହରରୁ ଆସିଛି ଏଭଳି ଏକ ହୃଦୟ ବିଦାରକ ଖବର । ନିଆଁର ବିଷ୍କାକ୍ତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୪ ଜଣ ସଦସ୍ୟ ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ଏବେବି ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଏବଂ ୩ ଜଣ ଶିଶୁ ଅଛନ୍ତି ।
ବିହାର ଭଗବାନ ବାଜାର ଥାନା ଅନ୍ତର୍ଗତ ଅମ୍ବିକା ଭବାନୀ କଲୋନୀରେ ଅତ୍ୟଧିତ ତଣ୍ଡା ପାଇଁ ଗୋଟିଏ ପରିବାର ଘର ଭିତରେ ନିଆଁ କୁଣ୍ଡ ରଖିଥିଲେ । ଗତକାଲି ରାତିରେ ଶୋଇଥିବାବେଳେ ଏହି ନିଆଁ ଧୂଆଁ ତାଙ୍କ ପାଇଁ କାଳ ସାଜିଥିଲା । ଅଗ୍ନିକୁଣ୍ଡରୁ ଧୂଆଁ ବାହାରି ବନ୍ଦ କୋଠରୀରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ଜମା ହୋଇ ସମସ୍ତେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ବିଳମ୍ବିତ ରାତି ପର୍ୟ୍ୟନ୍ତ ଘଟଣା ବିଷୟରେ କେହି ଜାଣି ନଥିଲେ। ସକାଳେ ପରିବାରର ଅନ୍ୟ ସଦସ୍ୟମାନେ କବାଟ ଖୋଲିବା ସମୟରେ କିଛି ଲୋକ ସଦସ୍ୟ ଅଚେତ ଅବସ୍ଥାରେ ପଡ଼ିଥିଲେ, ଅନ୍ୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ କମଳାବତୀ ଦେବୀ (୭୦), ତେଜାଂଶ (୩), ଆଧ୍ୟା (୭ ମାସ) ଏବଂ ଗୁଡିଆ (୯ ମାସ) । ଗୁରୁତର ସଦସ୍ୟମାନେ ହେଲେ ଅଞ୍ଜଳି, ଅମିଷା, ଅମିତ କୁମାର ଏବଂ ସଞ୍ଜୟ ଶର୍ମାଙ୍କ ପତ୍ନୀ । ସେମାନଙ୍କୁ ତୁରନ୍ତ ଛାପ୍ରା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଉତ୍ତର ପ୍ରଦେଶ ବାରଣାସୀ ଚିକିତ୍ସା ପାଇଁ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ ବୋଲି ଜଣାପଡ଼ିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହ ଗୁଡ଼ିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି । ସ୍ଥାନୀୟ ପ୍ରଶାସନ ଏପରି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ଜନସାଧାରଣଙ୍କୁ ଶୀତ ପ୍ରତି ନିରାପଦ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛି।