ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ଭରପୂର ଉପଭୋଗ କରିଛନ୍ତି। ଡିସେମ୍ବର ୨୪ରେ ଉଭୟ ପ୍ରଥମ ମ୍ୟାଚରେ ଶତକ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚରେ ବିରାଟ ୭୭ ରନ୍ କରିଥିବା ବେଳେ ରୋହିତ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ପ୍ରଶ୍ନ ହେଉଛି ଯେ ରୋହିତ ଏବଂ ବିରାଟଙ୍କୁ ପୁଣି ବିଜୟ ହଜାରେ ଟ୍ରଫିରେ ଖେଳିବାର ଦେଖିବାକୁ ମିଳିବ କି, କାରଣ ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୮ ପର୍ଯ୍ୟନ୍ତ ଚାଲିବ।
ଆଉ ଏକ ମ୍ୟାଚ୍ ଖେଳିବେ !
ଦୈନିକ ଜାଗରଣର ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମାଙ୍କ ପରି ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ କେବଳ ଦୁଇଟି ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ତଥାପି ବିରାଟ ଜାନୁଆରୀ ୬ ତାରିଖରେ ରେଳବାଇ ବିପକ୍ଷ ମ୍ୟାଚ୍ ଖେଳି ପାରନ୍ତି। ରିପୋର୍ଟ ଅନୁଯାୟୀ, ବିରାଟ ଏବେ କିଛି ଜରୁରୀ କାମରେ ଘରକୁ ଫେରି ଆସିଛନ୍ତି। କିନ୍ତୁ ତାଙ୍କର ଫେରିବାର ଆଶା ରହିଛି।
ବିରାଟ କୋହଲିଙ୍କ ୟୁନିଫର୍ମ ଏବଂ ଜିନିଷପତ୍ର ଏବେ ବି ଦିଲ୍ଲୀ ଦଳ ପାଖରେ ଅଛି। ଜାନୁଆରୀ ୬ ତାରିଖରେ ବିରାଟ କୋହଲି ଦିଲ୍ଲୀ ଦଳ ପାଇଁ ଖେଳିବେ କି ନାହିଁ ତାହା ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଉପରେ ନିର୍ଭର କରିବ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି। ବିରାଟ ଏପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ଦୁଇଟି ମ୍ୟାଚରେ ୨୦୮ ରନ କରିଛନ୍ତି।
ରୋହିତ ଶର୍ମାଙ୍କ ବିଷୟରେ କ’ଣ ଅପଡେଟ୍ ରହିଛି?
ଇଣ୍ଡିଆନ୍ ଏକ୍ସପ୍ରେସ୍ ଅନୁଯାୟୀ, ରୋହିତ ଶର୍ମାଙ୍କୁ ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଆଉ ଦେଖିବାକୁ ମିଳିବ ନାହିଁ। ସେ ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍ ପରେ ଘରକୁ ଚାଲିଯାଇଛନ୍ତି। ରୋହିତ ଆସାମ ବିପକ୍ଷ ମ୍ୟାଚରେ ୧୫୫ ରନ୍ କରିଥିଲେ, କିନ୍ତୁ ଉତ୍ତରାଖଣ୍ଡ ବିପକ୍ଷରେ ନିଜର ଖାତା ଖୋଲିପାରି ନଥିଲେ। ରିପୋର୍ଟ ଅନୁଯାୟୀ ରୋହିତ ଘରକୁ ଫେରିଛନ୍ତ, ଏବଂ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ଖୁବ୍ ଶୀଘ୍ର ତାଙ୍କ ବଦଳ ଖେଳାଳି ଘୋଷଣା କରିପାରେ। ମୁମ୍ବାଇର ପରବର୍ତ୍ତୀ ମ୍ୟାଚ୍ ଡିସେମ୍ବର ୨୯ରେ ଛତିଶଗଡ଼ ବିପକ୍ଷରେ ରହିଛି।