ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ନିଜର କ୍ୟାରିୟକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଏହା ଜାଣିବା ପରେ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ରୋହିତ ପ୍ରଥମ ଥର ଖୋଲାଖୋଲି ସ୍ୱୀକାର କରିଛନ୍ତି ଯେ, ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିବା ପରେ ସେ କ୍ରିକେଟ୍ ଛାଡିବା ନେଇ ସ୍ଥିର କରି ନେଇଥିଲେ । ତାଙ୍କ କହିବା କଥା ଏହି ପରାଜୟ ତାଙ୍କୁ ଭିତରୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା ।
ଗୁରୁଗ୍ରାମର ମାଷ୍ଟର୍ସ ୟୁନିୟନର ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମା କହିଛନ୍ତି, ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ୍ ପରେ ସେ ନିଜକୁ ସଂପୂର୍ଣ୍ଣ ଭାବେ ଖାଲି ଖାଲି ଅନୁଭବ କରୁଥିଲେ । ମୋତେ ଲାଗିଲା କ୍ରିକେଟ୍ ମୋଠୁ ସବୁ କିଛି ନେଇ ଯାଇଛି । ମୁଁ ଏହି ଖେଳକୁ ଆଗକୁ ଜାରି ରଖିବାକୁ ଚାହୁଁ ନ ଥିଲି । ସେହି ସମୟରେ ମୋ ଭିତରେ ଆଶାର କିରଣ ବି ନ ଥିଲା । ଉଲ୍ଲେଖନୀୟ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଲଗାତାର ୯ ମ୍ୟାଚ୍ ଜିତି ଧମାକାଦାର ଭାବେ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଅହମ୍ମଦାବାଦରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ଟ୍ରେଭିସ ହେଡଙ୍କ ଶତକୀୟ ଇନିଂସ ଭାରତର ସ୍ୱପ୍ନକୁ ଚୂରମାର କରି ଦେଇଥିଲା ।
ରୋହିତ କହିଛନ୍ତି, ଅଧିନାୟକ ହେବା କାରଣରୁ ଏହି ପରାଜୟ ତାଙ୍କ ପାଇଁ ଆହୁରି ଦୁଃଖଦ ଥିଲା । ମୁଁ କେବଳ ଦୁଇ କି ତିନି ମାସ ନୁହେଁ ବରଂ ୨୦୨୨ରେ ଅଧିନାୟକ ହେବା ପରଠୁ ସେ ବିଶ୍ୱକପ୍ ପାଇଁ ସବୁ ଶକ୍ତି ସାମର୍ଥ୍ୟ ଲଗାଇ ଦେଇଥିଲେ । ଯେବେ ଲକ୍ଷ୍ୟ ପୂରଣ ହେଲା ନାହିଁ ସମସ୍ତେ ନିରାଶ ଥିଲେ । ଆମେ କେହି ବିଶ୍ୱାସ କରି ପାରୁ ନ ଥିଲୁ ଯେ, କଣ ଘଟିଗଲା । ଏହି ସମୟ ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ କଠିନ ଥିଲା ।
ଏହି ପରାଜୟର ଦୁଃଖରୁ ବାହାରିବା ପାଇଁ ଅନେକ ମାସ ଲାଗିଥିଲା । ଏହା ପରେ ଧିରେ ଧିରେ ସେ ନିଜକୁ ସମ୍ଭାଳିଥିଲେ । ଏହି ପରାଜୟ ମୋ ପାଇଁ ବହୁତ ବଡ ଶିକ୍ଷା ଥିଲା ଯେ, ନିରାଶରୁ କେମିତି ବାହାରିବ ବୋଲି ରୋହିତ କହିଛନ୍ତି । ଏହା ପରେ ରୋହିତଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୨୪ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ଚାମ୍ପିଅନ ହୋଇଥିଲା ।
Also read: ଭଲ ଫର୍ମରେ ଥାଇ ବିଶ୍ୱ କପ୍ ଦଳରୁ ବାଦ ପଡ଼ିଲେ ଜିତେଶ, ଉତ୍ତର ଦେଲେ ଅଗରକର