ବିଶାଖାପଟ୍ଟନମ୍: ମହିଳା ବିଶ୍ୱ କପ୍ ବିଜେତା ସ୍ମୃତି ମାନ୍ଧାନା ଇତିହାସ ରଚିଛନ୍ତି । ଟି-ଟ୍ୱେଣ୍ଟି ଫର୍ମଟରେ ୪୦୦୦ ରନ୍ ପୂରଣ କରିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳୀ ହୋଇଛନ୍ତି ସ୍ମୃତି । ମାନ୍ଧାନା ୧୫୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୪୦୦୭ ରନ୍ କରି ଏକ ନୂତନ ରେକର୍ଡ ନିଜ ନାମରେ କରିଛନ୍ତି ।
ଏହା ସହିତ ସ୍ମୃତି ବିଶ୍ୱରେ ଦ୍ୱିତୀୟ ମହିଳା କ୍ରିକେଟର୍ ଭାବରେ ଏହି ଉପଲବ୍ଧି ହାସଲ କରିଛନ୍ତି । ପ୍ରଥମରେ ନ୍ୟୁଜଲ୍ୟାଣ୍ଡର ସୁଜି ବେଟ୍ସ ଏହି ଫର୍ମାଟରେ ୪,୭୧୬ ରନ୍ କରିଛନ୍ତି । ସ୍ମୃତି ୩୨୨୭ ବଲରେ ୪୦୦୦ ରନ୍ କରିଥନ୍ତି । ଏହି ତୁଳନାରେ ସୁଜି ବେଟ୍ସଙ୍କ ଠାରୁ ଆଗରେ ରହିଛନ୍ତି । କାରଣ ସୁଜି ୩,୬୭୫ ବଲରେ ଏହି ଟାର୍ଗେଟ୍ ପୁରା କରିଛନ୍ତି । କ୍ୟାପଟେନ୍ ହରମନପ୍ରୀତ ମଧ୍ୟ ତୃତୀୟ ସ୍ଥାନରେ ରହିଛନ୍ତି । ହରମନ ୩୬୬୯ ରନ୍ କରି ତୃତୀୟରେ ରହିଛନ୍ତି ।
ମହିଳା ବିଶ୍ୱ କପ୍ ପରେ ଗତକାଲି ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତୀୟ ଟିମ୍ । ବିଶାଖାପଟ୍ଟନମରେ ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୧୨୨ ରନର ପିଛା କରି ମାନ୍ଧାନା ମାତ୍ର ୨୫ ବଲରେ ୨୫ ରନର ପାଳି ଖେଳି ଆଉଟ୍ ହୋଇଯାଇଥିଲେ । କିନ୍ତୁ ଏତିକି ରନରେ ସେ ଆଉ ଏକ ନୂତନ ବିଶ୍ୱ ରେକର୍ଡ ନିଜ ନାମରେ କରିଥିଲେ ।
ଟସ୍ ହାରି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୨୧ ରନ୍ କରି ପାରିଥିଲା । ଶ୍ରୀଲଙ୍କା ଓପନର୍ ବିଶ୍ମୀ ଗୁଣରତ୍ନେ ସର୍ବାଧିକ ୩୯ ରନ୍ କରିଥିଲେ । ଏଥିରେ ଭାରତୀୟ ବୋଲର୍ କ୍ରାନ୍ତି ଗୌଡ଼, ଦୀପ୍ତି ଶର୍ମା ଓ ଶ୍ରୀଚରଣୀ ୧-୧ ଲେଖାଏଁ ୱିକେଟ୍ ନେଇଥିବାବେଳେ ଅନ୍ୟ ତିନୋଟି ରନ୍ ଆଉଟ୍ ଥିଲା ।
ଅଧିକ ପଢ଼ନ୍ତୁ:- ଏସିଆ କପ୍ ଫାଇନାଲରେ ବିବାଦ, ମୋହସିନ ନକଭିଙ୍କଠୁ ମେଡାଲ୍ ନେଲା ନାହିଁ ଟିମ୍ ଇଣ୍ଡିଆ