ରାଞ୍ଚି: ବିହାର କ୍ରିକେଟ୍ ଦଳ ବିଜୟ ହଜାରେ ଟ୍ରଫି ୨୦୨୫-୨୬ର ପ୍ରଥମ ମ୍ୟାଚରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରଥମେ ଖେଳାଳି ଏବଂ ପରେ ଟିମ୍ ସୃଷ୍ଟି କରିଛି ମହାରେକର୍ଡ । ବିହାର ହଜାରେ ଟ୍ରଫିର ପ୍ଲେଟ ଗ୍ରୁପ ମ୍ୟାଚରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ରାଞ୍ଚିରେ ଖେଳା ଯାଉଥିବା ନିଜର ପ୍ରଥମ ମ୍ୟାଚରେ ବିହାର ଏମିତି ସ୍କୋର କରିଛି, ଯାହା ୫ ଦଶନ୍ଧିର ଲିଷ୍ଟ ଏ କ୍ରିକେଟ୍ ଇତିହାସରେ ସବୁଠୁ ବଡ ସ୍କୋର । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିହାର ଧୂଆଁଧାର ବ୍ୟାଟିଂ କରି ୫୦ ଓଭରରେ ୬ ୱିକେଟ୍ ହରାଇ ୫୭୪ ରନ କରିଛି । ତିନି ଜଣ ବ୍ୟାଟର ଏହି ଇନିଂସରେ ଶତକ ହାସଲ କରିଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଲିଷ୍ଟ ଏ କ୍ରିକେଟରେ ପ୍ରଥମ ଥର କୌଣସି ଦଳ ୫୫୦ ରନ ଅତିକ୍ରମ କରିଛି । ଲିଷ୍ଟ ଏ କ୍ରିକେଟରେ ଏହା ଦ୍ୱିତୀୟ ଥର କୌଣସି ଦଳ ୫୦୦ରୁ ଅଧିକ ରନ କରିଛନ୍ତି । ସବୁଠୁ ବଡ କଥା ଉଭୟ ଥର ଏହି ବିଶାଳ ସ୍କୋର ଅରୁଣାଚଳ ପ୍ରଦେଶ ବିପକ୍ଷରେ ହୋଇଛି । ତାମିଲନାଡୁ ୨୦୨୨ରେ ଅରୁଣାଚଳ ବିପକ୍ଷରେ ୫୦୫ ରନ କରିଥିଲା । କିନ୍ତୁ ଆଜିର ମ୍ୟାଚରେ ବିହାର ସମାନ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୫୭୪ ରନ କରିଛି । ଏହି ମୁକାବିଲାରେ ବିହାର ପାଇଁ ବୈଭବ ସୂର୍ଯ୍ୟବଂଶୀ ୧୯୦ ରନର ବିଧ୍ୱଂସୀ ଇନିଂସ ଖେଳିଛନ୍ତି । ଅଧିନାୟକ ସକିବୁଲ ଗନି ଓ ୱିକେଟକିପର ଆୟୁଷ ମଧ୍ୟ ଶତକ ହାସଲ କରିଛନ୍ତି ।
ବିହାର ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ୪୩ ବଲରେ ୩୩ ରନ କରି ଆଉଟ୍ ହୋଇଥିଲେ ମଙ୍ଗଲ ମନୋହର । ସେହି ସମୟରେ ଦଳର ସ୍କୋର ଥିଲା ୧୫୮ ରନ । ଆଉ ସେ ପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀ ନିଜର ଶତକ ପୂରା କରି ସାରିଥିଲେ । ବୈଭବ ୮୪ ବଲରେ ୧୬ ଚୌକା ଓ ୧୫ ଛକା ସହ ୧୯୦ ରନର ଇନିଂସ ଖେଳିଛନ୍ତି । ନମ୍ବର ୩ରେ ବ୍ୟାଟିଂ କରିଥିବା ପୀୟୂଷ ସିଂ ୬୬ ବଲରେ ୭ ଚୌକା ଓ ୨ ଛକା ସହ ୭୭ ରନର ଇନିଂସ ଖେଳି ଆଉଟ୍ ହୋଇଥିଲେ । ଆୟୁଷ ଲୋହାରୁକ ୫୬ ବଲରୁ ୧୧୬ ରନର ଶତକୀୟ ଇନିଂସ ଖେଳିଛନ୍ତି । ଏହି ଇନିଂସରେ ତୃତୀୟ ଶତକ ସକିବୁଲ ଗନି ହାସଲ କରିଛନ୍ତି । ସେ ୪୦ ବଲରୁ ୧୨୮ ରନର ଧୁଆଁଧାର ଇନିଂସ ଖେଳିଥିଲେ । ଏଥିରେ ୧୦ ଚୌକା ଓ ୧୨ ଛକା ସାମିଲ୍ ।
ସବୁଠୁ ଦ୍ରୁତ ଲିଷ୍ଟ ଏ ଶତକ
ସକିବୁଲ ଗନି ଲିଷ୍ଟ ଏ କ୍ରିକେଟରେ ଭାରତ ପାଇଁ ଦ୍ରୁତତମ ଶତକ ହାସଲ କରିଛନ୍ତି । ସେ ୩୨ ବଲରେ ଶତକ ପୂରଣ କରିଛନ୍ତି । ଏହା ପୂର୍ବରୁ ଅନମୋଲପ୍ରୀତ ସିଂ ୩୫ ବଲରେ ବିଜୟ ହଜାରେ ଟ୍ରଫିରେ ଶତକ ହାସଲ କରିଥିଲେ । ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହି ବାମହାତୀ ବିସ୍ଫୋରକ ବ୍ୟାଟର ୩୬ ବଲରେ ନିଜର ଶତକ ହାସଲ କରିଥିଲେ ।
Also read: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ଶୁଭମନ ଗିଲ୍ ବାଦ୍