କର୍ଣ୍ଣାଟକ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ପଶ୍ଚିମ ସମୁଦ୍ରକୂଳରେ ଭାରତୀୟ ନୌସେନାର ଆଗଧାଡ଼ିର ବୁଡ଼ାଜାହାଜ ୪ ଆଇଏନ୍ଏସ୍ ବାଘଶୀରରେ ଯାତ୍ରା କରିଛନ୍ତି । ବୁଡ଼ାଜାହାଜରେ ଯାତ୍ରା କରିବାରେ ମୁର୍ମୁ ଦ୍ବିତୀୟ ରାଷ୍ଟ୍ରପତି। ଏହାପୂର୍ବରୁ ଫେବ୍ରୁଆରି ୨୦୦୬ରେ ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ବୁଡ଼ା ଜାହାଜରେ ଯାତ୍ରା କରିଥିଲେ। ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠୀ ମଧ୍ୟ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ।
ରବିବାର ଦିନ କର୍ଣ୍ଣାଟକର କାରୱାର ନୌସେନା ବନ୍ଦରରୁ ସେ ଏହି ବୁଡ଼ାଜାହାଜରେ ବସି ନିଜର ସମୁଦ୍ର ଭ୍ରମଣ ଆରମ୍ଭ କରିଥିଲେ। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଯାତ୍ରା ସମୟରେ ରାଷ୍ଟ୍ରପତି ବୁଡ଼ାଜାହାଜର ଚାଳକ ଦଳ (Crew) ସହିତ ଆଲୋଚନା କରିଥିଲେ ଏବଂ ଅପରେସନାଲ ପ୍ରଦର୍ଶନଗୁଡ଼ିକୁ ଦେଖିଥିଲେ । ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ପରେ ବୁଡ଼ାଜାହାଜରେ ଯାତ୍ରା କରିବାରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦେଶର ଦ୍ୱିତୀୟ ରାଷ୍ଟ୍ରପତି।
ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ସ୍ୱଦେଶୀ ‘କଲଭରୀ’ ଶ୍ରେଣୀର ଏହି ବୁଡ଼ାଜାହାଜରେ ରାଷ୍ଟ୍ରପତିଙ୍କ ପ୍ରଥମ ଯାତ୍ରା, ସଶସ୍ତ୍ର ବାହିନୀ ସହିତ ସର୍ବୋଚ୍ଚ କମାଣ୍ଡରଙ୍କ ନିରନ୍ତର ସମ୍ପୃକ୍ତିକୁ ଦର୍ଶାଉଛି। ଏହାପୂର୍ବରୁ ନଭେମ୍ବର ୨୦୨୪ରେ ସେ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ‘ଆଇଏନଏସ ବିକ୍ରାନ୍ତ’ର ପରିଚାଳନା ପ୍ରଦର୍ଶନ ମଧ୍ୟ ଦେଖିଥିଲେ। ଏହି ଯାତ୍ରା ପରେ ରାଷ୍ଟ୍ରପତି ନିଜର ଅନୁଭୂତିକୁ Visitor's Book ରେ ଲିପିବଦ୍ଧ କରିଛନ୍ତି। ସେ ଲେଖିଛନ୍ତି ଯେ, "ଆଇଏନଏସ ବାଘସୀରରେ ଆମର ନୌସୈନିକ ଏବଂ ଅଧିକାରୀଙ୍କ ସହ ସମୁଦ୍ର ମଧ୍ୟରେ ସମୟ ବିତାଇବା ମୋ ପାଇଁ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅନୁଭୂତି ଥିଲା।"
ପୂର୍ବରୁ, ରାଷ୍ଟ୍ରପତି ଭାରତୀୟ ବାୟୁସେନା (IAF)ର ଦୁଇଟି ବିମାନର ଉଡ଼ାଣ କରିଥିଲେ। ଏପ୍ରିଲ ୨୦୨୩ରେ, ସେ ଆସାମର ତେଜପୁରସ୍ଥିତ ବାୟୁସେନା ଷ୍ଟେସନରେ ସୁଖୋଇ Su-30 MKI ଲଢ଼ୁଆ ବିମାନର ଏକ ଐତିହାସିକ ଉଡ଼ାଣ କରିଥିଲେ। ଏହି ବିମାନକୁ ୧୦୬ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପଟେନ୍ ନବୀନ କୁମାର ଉଡ଼ାଣ କରିଥିଲେ। ପରେ, ଚଳିତ ବର୍ଷ ଅକ୍ଟୋବର ୨୯ ତାରିଖରେ, ସେ ହରିୟାଣାର ଅମ୍ବାଲାର ବାୟୁସେନା ଷ୍ଟେସନରେ ରାଫେଲ ଲଢ଼ୁଆ ବିମାନ ଉଡ଼ାଣ କରିଥିଲେ। ରାଫେଲ ଜେଟ୍ ୧୭ ସ୍କ୍ୱାଡ୍ରନର କମାଣ୍ଡିଂ ଅଫିସର ଗ୍ରୁପ୍ କ୍ୟାପ୍ଟେନ୍ ଅମିତ ଗେହାନି ଉଡ଼ାଣ କରିଥିଲେ। ଏହା ସହିତ, ମୁର୍ମୁ ଭାରତୀୟ ବାୟୁସେନାର ଦୁଇଟି ଲଢ଼ୁଆ ବିମାନ ଉଡ଼ାଣ କରିଥିବା ଭାରତର ଏକମାତ୍ର ରାଷ୍ଟ୍ରପତି ହୋଇଥିଲେ।
ଅଧିକ ପଢନ୍ତୁ: "ଆଉ କିଛି ବାଟ ନଥିଲା, ବଙ୍କରରେ ଲୁଚିବାକୁ ବାଧ୍ୟ ହୋଇଥିଲୁ"; 'ଅପରେସନ ସିନ୍ଦୂର'କୁ ନେଇ ପାକ୍ ଥିଲା ଭୟଭୀତ, ମାନିଲେ ରାଷ୍ଟ୍ରପତି