କଟକ: ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ଘୋଷଣାକୁ ନେଇ ବିବାଦ ସୃଷ୍ଟି ହୋଇଛି । କଟକ ଜିଲ୍ଲାରେ ବାହାର ନେତାଙ୍କୁ ଦାୟିତ୍ୱ ଦେବା ଏବଂ ଅନେକ ଆଗ ଧାଡ଼ିର ଯୁବ ଏବଂ ଛାତ୍ର ନେତାଙ୍କ ନାଁ କାଟିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିସିଜେଡ଼ି ଉପ ସଭାପତି ସୁମନ ବେହେରା ।
ସୁମନ କହିଛନ୍ତି ଯେ ଅନେକ ଛାତ୍ର ଓ ଯୁବ ନେତାଙ୍କ ପ୍ରତି ଅନ୍ୟାୟ ହୋଇଛି । ଯାହାକୁ ୨୦୨୪ ନିର୍ବାଚନରେ କଟକବାସୀ ପ୍ରତ୍ୟାଖ୍ୟାନ କରିଥିଲେ ତାଙ୍କୁ କଟକ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି । ଯେଉଁମାନେ କଟକରେ କଲେଜରେ ଦଳକୁ ଜିତାଇବାରେ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ତାଲିକାରେ ବାଦ ଦିଆଯାଇଛି । ଯାହାକି ଆଗାମୀ ଦିନରେ ବିଜୁ ଜନତା ଦଳର କ୍ଷତି କରିବ । ଏ ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯିବ । ଦଳ ପାଇଁ ଅନେକ ମାଡ଼ ଖାଇଛୁ ଏବଂ ସଂଘର୍ଷ କରିଛୁ । କିନ୍ତୁ କିଛି ବାହାର ଛାତ୍ର ନେତାଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜାଣିଶୁଣି ନାଁ କାଟିବା ଦୁଃଖଦାୟକ ବୋଲି କହିଛନ୍ତି । ଖାସ କରି ଦଳର ସାଙ୍ଗଠନିକ ସ୍ଥିତି ଏବଂ ପାଣ୍ଡିଆନଙ୍କୁ ନେଇ ଖୋଲାଖୋଲି ମନ୍ତବ୍ୟ ରଖୁଥିବା ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି । ପୁନର୍ବିଚାର ନ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଉପସଭାପତି ସୁମନ ବେହେରା ।
ସେହିପରି ପୂର୍ବତନ କଟକ ନଗର ବିଜେଡ଼ି ସଭାପତି ସୌମ୍ୟଜିତ ଘୋଷ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଦଳକୁ ପ୍ରାଥମିକତା ଦେଇ ଅନେକ ସଂଘର୍ଷ କରିଛୁ । ବାରବାଟୀ କଟକରେ କିଛି ନିର୍ଦ୍ଧିଷ୍ଟ କୁଚକ୍ରୀ ଗୋଷ୍ଠୀ ଅନେକ ଯୁବ ଓ ଛାତ୍ର ନେତା ନାଁ କାଟିଛନ୍ତି । ତାଲିକାରୁ ବାଦ ପଡ଼ିଥିବା ପୂର୍ବତନ କଟକ ଜିଲ୍ଲା ସଭାପତି ଆସିଫ୍ ଅମିନ ମଧ୍ୟ କହିଛନ୍ତି ଯେ ପାଣ୍ଡିଆନ୍ ହଟାଅ ବିଜେଡ଼ି ବଞ୍ଚାଅ ନାରା ଦେଇଥିବାରୁ ତାଙ୍କୁ ନାଁ ହଟାଯାଇଛି ।
ଗତକାଲି ବିଜେଡ଼ିର ଯୁବ ଏବଂ ଛାତ୍ର ଦଳ ପାଇଁ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ବିଜୁ ଯୁବ ଜନତା ଦଳର ୪ ଜଣ କାର୍ଯ୍ୟକାରୀ ସଭାପତି ଏବଂ ୧୬୦ ଜଣଙ୍କ ନାମ ଘୋଷଣା କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ୫ ଜଣ କାର୍ଯ୍ୟକାରୀ ସଭାପତି ସମେତ ୧୪୫ ଜଣଙ୍କ ନାମ ଘୋଷଣା ହୋଇଛି ।