ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ଶେଷ ‘ମନ୍ କୀ ବାତ୍’ କରିଛନ୍ତି । କ୍ରୀଡ଼ାଠାରୁ ଆରମ୍ଭ କରି ମହାକାଶ ଯାତ୍ରା ପର୍ଯ୍ୟନ୍ତ ୨୦୨୫ ଅନେକ ସଫଳତା ଦେଇଥିବାବେଳେ ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ‘ମନ୍ କୀ ବାତ୍’ କହିଛନ୍ତି, ୨୦୨୫ରେ ଅନେକ ଫଟୋ, ଚର୍ଚ୍ଚା ଏବଂ ସଫଳତା ଦେଶକୁ ଏକତାରେ ଯୋଡ଼ି ଦେଇଛି । ଏହି ବର୍ଷ ଅନେକ ମୁହୂର୍ତ୍ତ ଦେଇଛି ଯାହା ଦେଶବାସୀଙ୍କୁ ଗର୍ବିତ କରିଛି । ଦେଶର ସୁରକ୍ଷାଠାରୁ ଆରମ୍ଭ କରି ଖେଳ, ବିଜ୍ଞାନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ମଞ୍ଚରେ ଭାରତ ନିଜର ମଜବୁତ ଛବି ଛାଡ଼ିଛି । ଅପରେସନ୍ ସିନ୍ଦୂର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ପ୍ରତୀକ ହୋଇଛି । ଦୁନିଆ ବି ଦେଖିଲା ଭାରତ ନିଜର ସୁରକ୍ଷା ସହିତ କେବେବି ସାଲିସ କରିବ ନାହିଁ । ଦେଶର କୋଣ ଅନୁକୋଣରେ ଅପରେସନ ସିନ୍ଦୂରକୁ ସମର୍ଥନ ମିଳିଛି । ବନ୍ଦେ ମାତରମ୍ ୧୫୦ ବର୍ଷ ପୂର୍ତ୍ତିରେ ମଧ୍ୟ ଏହି ଉତ୍ସାହ ଦେଖିବାକୁ ମିଳିଥିଲା ।
କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ୨୦୨୫ ବର୍ଷରେ ଅନେକ ସ୍ମୃତି ରହିଛି । ପୁରୁଷ କ୍ରିକେଟ୍ ଟିମ୍ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବାବେଳେ ଭାରତୀୟ ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱ କପ୍ ଜିତିଛି । ସେହିପରି ମହିଳା କ୍ରିକେଟ୍ ଟିମ୍ ଦୃଷ୍ଟିବାଧିତ ବିଶ୍ୱ କପ୍ ବିଜେତା ମଧ୍ୟ ହୋଇଛି । ବିଶ୍ୱ ଚାମ୍ପିଅନସିପରେ ପାରା ଆଥେଲିଟମାନେ ମଧ୍ୟ ପ୍ରମାଣିତ କରିଛନ୍ତି ଯେ କୌଣସି ବାଧା ପ୍ରତିବନ୍ଧକ ହୋଇପାରିବ ନାହିଁ । ସେହିପରି ମହାକାଶ କ୍ଷେତ୍ରରେ ଶୁଭ୍ରାଂଶୁ ଶୁକ୍ଳା ମହାକାଶ ଯାତ୍ରା କରିଛନ୍ତି ।
ବର୍ଷ ଆରମ୍ଭରେ ପ୍ରୟାଗରାଜ ମହାକୁମ୍ଭ ଆୟୋଜନ ପୁରା ବିଶ୍ୱକୁ ଆଚମ୍ବିତ କରିଥିଲା ଏବଂ ଅନ୍ତିମରେ ଅଯୋଧ୍ୟାରେ ଧର୍ମ ଧ୍ୱଜା ଅବତରଣ କାର୍ୟ୍ୟକ୍ରମ ପ୍ରତି ଭାରତୀୟଙ୍କୁ ଗର୍ବିତ କରିଛି । ସ୍ୱଦେଶୀ ସାମଗ୍ରୀକୁ ଲୋକେ ପସନ୍ଦ କରୁଛନ୍ତି । ୨୦୨୫ ଭାରତକୁ ଅଧିକ ଆତ୍ମ ବିଶ୍ୱାସ ଦେଇଛି । ୨୦୨୬ରେ ଦେଶ ନୂଆ ଆଶା ଏବଂ ନୂଆ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛି ।ପ୍ରଧାନମନ୍ତ୍ରୀ ଯୁବ ଶୁକ୍ତିଙ୍କୁ ମଧ୍ୟ ପ୍ରେରଣା ଦେଇଛନ୍ତି । ଦେଶର ବଡ଼ ଶକ୍ତି, ଯୁବ ଶକ୍ତି ବୋଲି କଗିଛନ୍ତି ମୋଦୀ । ଯୁବ ଶକ୍ତି ସ୍ମାର୍ଟ ଇଣ୍ଡିଆ କ୍ୟାକେଥନରେ ୮୦ରୁ ଅଧିକ ସରକାରୀ ବିଭାଗରେ ୨୭୦ରୁ ଉର୍ଦ୍ଧ୍ୱ ସମସ୍ୟା ସମାଧାନର ସୂତ୍ର ଦେଇଛନ୍ତି । ସାଇବର ସୁରକ୍ଷା, ଟ୍ରାଫିକ୍ ସମସ୍ୟା ଓ କୃଷି ସମସ୍ୟା ଆଦିର ସମାଧାନ କରିବାର ପରାମର୍ଶ ଦେଇଛନ୍ତି । ଏହି ହ୍ୟାକେଥନର ଅଂଶ ହେବାକୁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ନିଜ ମାଟି ଏବଂ ନିଜ ସଂସ୍କୃତି ସହିତ ଜଡ଼ିତ ରହିବାକୁ ପ୍ରଧାନମନ୍ତ୍ରୀ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଛନ୍ତି ।