ନୂଆଦିଲ୍ଲୀ: କଂଗ୍ରେସର ଅନେକ ନେତା ମଝିରେ ମଝିରେ ବିଜେପି ଏବଂ ମୋଦୀ ସରକାର ପ୍ରଶଂସାରେ ବାହାରନ୍ତି । ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ଏବଂ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ୯୦ ଦଶକର ଫଟୋ ସେୟାର କରି ପ୍ରଶଂସା କରିବା ପରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।
ଦିଗବିଜୟ ସିଂହ ପ୍ରାୟତଃ ନିଜ ବୟାନ ପାଇଁ ଶିରୋନାମା ପାଲଟିଥାନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ପୁରୁଣା ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଚର୍ଚ୍ଚା ସାଉଁଟିଛନ୍ତି । ଫଟୋରେ ଲାଲକୃଷ୍ଣ ଆଡ଼ଭାନୀ ଚୌକି ଉପରେ ବସିଥିବାବେଳେ ତାଙ୍କ ପାଦ ତଳେ ପ୍ରଧାନମନ୍ତ୍ରୀ ମୋଦି ଭୂମିରେ ବସିଥିବାର ଦେଖିବାକୁ ମିଳିଛି । ଦିଗବିଜୟ ଫଟୋ ସେୟାର କରି କହିଛନ୍ତି ଯେ ଏହି ଫଟୋ ଅଧିକ ପ୍ରଭାବଶାଳୀ ଅଟେ । ଜଣେ ଆରଏସଏସର ତୃଣମୂଳ ସ୍ୱେଚ୍ଛା ସେବକ ଏବଂ ଜନ ସଂଘ (ଏବେକାର ବିଜେପି) ତୃଣମୂଳ କର୍ମୀ ପାଦ ତଳେ ବସି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହୋଇଛନ୍ତି... ଏହା ହେଉଛି ସଂଗଠନର ଶକ୍ତି।
ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ କଳା ଧଳା ଫଟୋ ସେୟାର କରିଛନ୍ତି, ଯେଉଁଥିରେ ବିଜେପି ଏବଂ ଏହାର ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶଂସା କରିଛନ୍ତି । ଏହି ଫଟୋଟି ୯୦ ଦଶକର ବୋଲି କୁହାଯାଉଛି । ଏହା ୧୯୯୬ ମସିହାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଶଙ୍କରସିଂହ ବାଘେଲାଙ୍କ ଶପଥ ଗ୍ରହଣ ସମାରୋହରେ ନିଆଯାଇଥିଲା, ଯେଉଁଥିରେ ସେତେବେଳର ବରିଷ୍ଠ ବିଜେପି ନେତାମାନେ ଯୋଗ ଦେଇଥିଲେ। ଦିଗବିଜୟ ମଧ୍ୟ କହିଛନ୍ତି ଯେ ଏହି ଫଟୋ ତାଙ୍କୁ କ୍ୱରାରୁ ମିଳିଛି । ଏହା ସେତେବେଳର ଗୁଜୁରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫଟୋ ବୋଲି କୁହାଯାଉଛି । ସ୍କ୍ରିନସଟ୍ରେ ପ୍ରଧାନମନ୍ତ୍ରୀ ମୋଦି ଯୁବାବସ୍ଥାରେ ଆଡଭାନୀଙ୍କ ପାଖରେ ଭୂମିରେ ବସିଥିବା ଦେଖାଯାଉଛି।
ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଯେ, ତାଙ୍କ ପୋଷ୍ଟକୁ ଭୁଲ ଭାବେ ଗ୍ରହଣ କରାଯାଉଛି । ସେ ଆରଏସ୍ଏସ୍ ଏବଂ ମୋଦିଙ୍କର ଘୋର୍ ବିରୋଧୀ ଅଟନ୍ତି । ସେ ଆରଏସଏସ କିମ୍ବା ମୋଦିଙ୍କ ପ୍ରଶଂସା କରି ନାହାଁନ୍ତି ବରଂ ଗୋଟିଏ ସଂଗଠନକୁ ପ୍ରଶଂସା କରିଛନ୍ତି ।