ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି) । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜନ କରାଯାଉଛି ।
କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ପହଞ୍ଚି ଯାଇଛନ୍ତି । ତାଙ୍କ ବ୍ୟତୀତ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକଖୁ ମଧ୍ୟ ପହଞ୍ଚିଛନ୍ତି । କଂଗ୍ରେସର ସବୁଠୁ ବଡ ନୀତି ନିର୍ଦ୍ଧାରକ ମିଟିଂରେ ଦେଶର ସଦ୍ୟତମ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହେବ । ଏହା ବ୍ୟତୀତ କେନ୍ଦ୍ରର ମୋଦୀ ସରକାରଙ୍କ ପକ୍ଷରୁ ମନରେଗା ନାଁ ପରିବର୍ତ୍ତନକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଏହା ସହ ଦେଶର ଅନେକ ଗୁରୁତ୍ୱପୂଣ୍ର୍ଣ ପ୍ରସଙ୍ଗରେ ଦଳ ବିଚାର ବିମର୍ଶ କରିବ ।
ସିଡବ୍ଲ୍ୟୁସିର ଏହି ବୈଠକରେ ଛତିଶଗଡର ପ୍ରଭାରୀ ତଥା ସାଧାରଣ ସଂପାଦକ ସଚିନ ପାଇଲଟଙ୍କ ବ୍ୟତୀତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉତ୍ତର ପ୍ରଦେଶର ପ୍ରଭାରୀ ସାଧାରଣ ସଂପାଦକ ଅବିନାଶ ପାଣ୍ଡେ, ତେଲଙ୍ଗାନାର ପ୍ରଭାରୀ ମୀନାକ୍ଷୀ ନଟରାଜନ, ରାଜସ୍ଥାନର ପ୍ରଭାରୀ ସୁଖଜିନ୍ଦର ସିଂହ ରାନ୍ଧୱା, କଂଗ୍ରେସର ଯୋଗାଯୋଗ ବିଭାଗର ପ୍ରଭାରୀ ସାଧାରଣ ସଂପାଦକ ଜୟରାମ ରମେଶ ଓ ହରିୟାଣାର ପ୍ରଭାରୀ ବିକେ ହରି ପ୍ରସାଦ ମଧ୍ୟ ଦିଲ୍ଲୀ ପହଞ୍ଚିଛନ୍ତି ।
ଏହା ବ୍ୟତୀତ ସବୁ ରାଜ୍ୟର କଂଗ୍ରେସ ସଭାପତି ମଧ୍ୟ ବୈଠକରେ ଯୋଗ ଦେବାକୁ ପହଞ୍ଚିଛନ୍ତି । ଏହି ବୈଠକ ଏଥିପାଇଁ ଗୁରୁତ୍ୱ ରହିଛି କାରଣ ବିହାର ନିର୍ବାଚନରେ ପରାଜୟ ପରେ ଏହା ସିଡବ୍ଲ୍ୟୁସିର ପ୍ରଥମ ବୈଠକ । ୨୦୨୬ରେ ଆସାମ, କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଟିର ରଣନୀତି ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି ।
Also read: ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର; ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କଲେ CEC