ଭୁବନେଶ୍ୱର: ବିଜେଡିର ପ୍ରତିଷ୍ଠା ଦିବସରେ ନାଁ ନ ନେଇ ପାଣ୍ଡିଆନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ଏମ୍ପି ମୁନ୍ନା ଖାଁ। ସେ କହିଛନ୍ତି, 'ବିଜୁ ବାବୁଙ୍କ ରାସ୍ତାରେ ଆମେ ଚାଲୁଥିଲୁ। ନବୀନ ବାବୁ ଆସିବା ପରେ ଟିକେ ପରିବର୍ତ୍ତନ କଲେ। ବିଜୁ ବାବୁ କହୁଥିଲେ ଯେଉଁ ଅଫିସର କାମ କରୁନି ତାଙ୍କୁ ଚାପୁଡ଼ା ମାର। କିନ୍ତୁ ଆମ ନେତା ନବୀନ ଆମକୁ ଶାନ୍ତି ଶୃଙ୍ଖଳାର ପାଠ ପଢ଼େଇଲେ। ମୁଁ ନବୀନଙ୍କୁ କହିସାରିଛି ବର୍ତ୍ତମାନ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ। ଇଏ ଦୁଇମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁ ନାହିଁ। ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ। କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବାକୁ ଆହ୍ବାନ ଦେଇଛନ୍ତି'।
ତେବେ ସାଂସଦ ମୁନା ଖାଁଙ୍କ ଏହି ଅଭିଭାଷଣ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ିଛି। ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ପ୍ରଭାବ ଓ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି ନେଇ ଚର୍ଚ୍ଚା ଭିତରେ ମୁନା ଖାଁଙ୍କ ଏଭଳି ଚେତାବନୀ ବେଶ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡିର ପ୍ରତିଷ୍ଠା ଦିବସ ପୂର୍ବରୁ ଗୁରୁବାର ବରିଷ୍ଠ ନେତା ଭୂପିନ୍ଦର ସିଂ ମଧ୍ୟ ବିସ୍ଫୋରକ ବୟାନ ଦେଇଥିଲେ। ସୁଜାତା କାର୍ତ୍ତିକେୟନ ବିଜେଡିରେ ଏଣ୍ଟ୍ରି ନେଇ ଚର୍ଚ୍ଚା ଭିତରେ ଭୂପିନ୍ଦର କହିଥିଲେ କିଛି ଲୋକଙ୍କୁ ଅଣାଗଲେ ବିଜେଡି ଭାଗ ହୋଇଯିବ। ଭବିଷ୍ୟତରେ ନବୀନଙ୍କୁ ଛାଡି ବିଜେଡ଼ି ରହିପାରିବ ନାହିଁ । ଯାହାଙ୍କୁ ଆଣିବାକୁ ପ୍ରୟାସ ହେଉଛି ତାଙ୍କ ପାଇଁ ଦଳର ବଡ଼ କ୍ଷତି ହୋଇଛି। ଦଳକୁ ସମସ୍ତେ ଆସିପାରିବେ, ଯିଏ ଆସିବ ସେ ପ୍ରଥମେ କାମ କରିବେ । ୩ ରୁ ୪ଜଣକୁ ନେଇ ଦଳ ପରିଚାଳନା ବନ୍ଦ ହେଉ। ବିଜେଡି ଗୋଟିଏ ଟିମ୍ ଭାବେ କାମ କରୁ ବୋଲି କହିଛନ୍ତି ଭୂପିନ୍ଦର।
ଅଧିକ ପଢନ୍ତୁ: ପ୍ରତିଷ୍ଠା ଦିବସରେ ଅସନ୍ତୋଷ ଝାଡ଼ିଲେ ପ୍ରଭାତ; ପାଣ୍ଡିଆନ ଦମ୍ପତିଙ୍କୁ ଖୋଲା ସମର୍ଥନ, ଦଳର ଶୀର୍ଷ ନେତାଙ୍କ ନାଁ ନେଇ ବର୍ଷିଲେ...
ଅନ୍ୟପଟେ ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ କହିଛନ୍ତି, ବିଜେଡି ଅଛି ଓ ଶହେ ବର୍ଷ ରହିବ। କିଛି ଲୋକେ ବିଜେଡି ବିରୋଧରେ ଅପପ୍ରଚାର କରୁଛନ୍ତି। ବିଜେଡି ଭାଙ୍ଗିଯିବ ବୋଲି କହୁଛନ୍ତି, କିନ୍ତୁ ବିଜେଡି ଅଛି ଆଉ ରହିବ। ବିଜେଡି ଶହେ ବର୍ଷ ଓଡ଼ିଶାବାସୀଙ୍କ ସ୍ବର ହୋଇ ରହିବ। ଓଡ଼ିଶାର ବିକାଶରେ ବିଜୁ ଜନତା ଦଳ ସର୍ବଦା ଅଟଳ। ବିଜୁ ବାବୁଙ୍କ ଆଦର୍ଶ ଓ ଲକ୍ଷ ଲକ୍ଷ କର୍ମୀଙ୍କ ସମର୍ପଣରେ ବିଜୁ ଜନତା ଦଳ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ହୋଇଛି। ଦଳର ଗୌରବମୟ ୨୯ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତେ ସେବା, ସ୍ବାଭିମାନ ଓ ସଂଗ୍ରାମର ମନ୍ତ୍ରରେ ସଂକଳ୍ପବଦ୍ଧ ହୋଇ ଆଗକୁ ବଢ଼ିବାକୁ ନବୀନ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।
ଅଧିକ ପଢନ୍ତୁ: ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ନବୀନଙ୍କ କଡ଼ା କାଉଣ୍ଟର; କହିଲେ, ଆଗାମୀ ୧୦୦ ବର୍ଷ ଯାଏଁ ରହିବ ବିଜେଡି, କେହି ଭାଙ୍ଗିପାରିବେନି...