ନୂଆଦିଲ୍ଲୀ: ପୁଣି ଥରେ ଏୟାର ଇଣ୍ଡିଆ ବିମାନ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବୁଧବାର ଥାଇଲାଣ୍ଡ ରାଜଧାନୀ ଫୁକେଟ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କରିଛି । ତେବେ ଏଥିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବୋଇଂ ୭୩୭ ବିମାନ IX ୯୩୮ ହାଇଦ୍ରାବାଦରୁ ସକାଳ ୬ଟା ୪୨ ମିନିଟ୍ ସମୟରେ ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଥିଲା । ବିମାନରେ ୧୩୩ ଜଣ ଯାତ୍ରୀ ଥିଲେ । ପୂର୍ବାହ୍ନ ୧୧ଟା ୪୦ ମିନିଟରେ ଫୁକେଟ୍ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ସମୟରେ ନୋଜ୍ ହ୍ୱିଲ୍ (ବିମାନ ଅଗ୍ରଭାଗରେ ଥିବା ଚକା) ରେ ଯାନ୍ତ୍ରିକ ସମସ୍ୟା ଦେଖାଯାଇଥିଲା । ଫଳରେ ବିମାନକୁ ହାର୍ଡ ଲ୍ୟାଣ୍ଡିଂ କରିବାକୁ ପଡ଼ିଥିଲା । ଲ୍ୟାଣ୍ଡିଂ ଏତେ ବିପଦପୂର୍ଣ୍ଣ ଥିଲା ଯେ ରନ୍ ୱେର ପିଚୁ ମଧ୍ୟ ଖୋଳି ହୋଇ ଯାଇଥିଲା । ଏମିତିକି ବିମାନ ଅଗ୍ରଭାଗରେ ଥିବା ଚକା ଭାଙ୍ଗି ଯାଇଛି । ଜରୁରୀକାଳୀନ ପ୍ରତିକ୍ରିୟା ଦଳ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଶୀଘ୍ର ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ବିମାନକୁ ଖାଲି କରିବା ସହ ସୁରକ୍ଷା ଯାଞ୍ଚ କରିବା ପାଇଁ ରନୱେକୁ ବନ୍ଦ କରାଯାଇଥିଲା । ସନ୍ଧ୍ୟା ୬ଟା ଯାଏ ରନୱେକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏୟାର ଇଣ୍ଡିଆ ଅଧିକାରୀ କହିଛନ୍ତି ଯେ ମାର୍ଚ୍ଚ ୧୧ ବୁଧବାର, ହାଇଦ୍ରାବାଦ-ଥାଇଲାଣ୍ଡ ବିମାନ ର ନୋଜ୍ ହ୍ୱିଲରେ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା । କ୍ର୍ୟୁ ସଦସ୍ୟ ସମସ୍ତ ନିୟମ ଅନୁସରଣ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରେ ପହଁଚାଇଛନ୍ତି । ଏଥିପାଇଁ ସେ ଫୁକେଟ୍ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।