ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଡେରାଡୁନରେ ଜାତିଆଣ ଆକ୍ଷେପକୁ ନେଇ ଜଣେ ଆଦିବାସୀ ଡାକ୍ତରା ପଢ଼ୁଥିବା ଛାତ୍ରଙ୍କୁ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଛି । ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଆଞ୍ଜେଲ୍ ଚକମା । ଆଞ୍ଜେଲ୍ ଡେରାଡୁନରେ ଜିଜ୍ଞାସା ବିଶ୍ୱବିଦ୍ୟାଳୟ ଏମବିଏରେ ଶେଷ ବର୍ଷ ଛାତ୍ର ଥିଲେ ।
ଡିସେମ୍ବର ୯ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୭ (ଶୁକ୍ରବାର) ଆଞ୍ଜେଲଙ୍କର ମୃତ୍ୟୁ ହୋଇଛି । ଡିସେମ୍ବର ୯ ତାରିଖ ଦିନ ସନ୍ଧ୍ୟା ୬-୭ ଟା ସମୟରେ ସେଲାକ୍ୟୁର ଜିଜ୍ଞାସା ବିଶ୍ୱବିଦ୍ୟାଳୟରେ ଏମବିଏ ପଢ଼ୁଥିବା ଆଞ୍ଜେଲ ଚକମା ଓ ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ତାଙ୍କ ସାନ ଭାଇ ମାଇକେଲ୍ ଚକମା କିଛି ସାମଗ୍ରୀ କିଣିବାକୁ ଦୋକାନ ଯାଇଥିଲେ । ସେମାନଙ୍କୁ ଦେଖି କିଛି ନିଶା ଶକ୍ତ ଯୁବକ ଜାତିଆଣ ଆକ୍ଷେପ କରିଥିଲେ । ଯେତେବେଳେ ଏଭଳି ଆକ୍ଷେପକୁ ଦୁଇ ଭାଇ ବିରୋଧ କରିଥିଲେ ସେତେବେଳେ ହିଂସା ହୋଇଥିଲା । ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଯୁବକମାନେ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଇକେଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେହିପରି ଆଞ୍ଜେଲଙ୍କ ବେକ ଏବଂ ପେଟରେ ଗଭୀର ଆଘାତ ଲାଗିଥିଲା । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ଆଞ୍ଜେଲ୍ ।
ସେପଟେ ଆଞ୍ଜେଲଙ୍କ ମୃତ ଶରୀର ଶନିବାର ତ୍ରିପୁରାର ଅଗରତାଲାରେ ପହଁଚିଛି । ପରିବାର ସଦସ୍ୟ, ୟୁଥ୍ ଟିପ୍ରା ଫେଡେରେସନ୍ ଏବଂ ଟ୍ରାଇବାଲ୍ ଇଣ୍ଡେଜିନସ୍ ଷ୍ଟୁଟେଣ୍ଡସ୍ ଫେଡେରସନର ସଦସ୍ୟମାନେ ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ପହଁଚି ମୃତ ଦେହକୁ ଗ୍ରହଣ କରିଛନ୍ତି । ଯାହା ପରେ ତ୍ରିପୁରା ଅଶାନ୍ତ ହୋଇପଡ଼ିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ସଦସ୍ୟ ଅଭିଯୁକ୍ତ ମାନଙ୍କୁ କଠୋରରୁ କଠୋର ଦଣ୍ଡ ଦାବି କରିବା ସହ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।