ନୂଆଦିଲ୍ଲୀ: ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ରଙ୍କ ହତ୍ୟା ଏବେ ଅନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ପ୍ରସଙ୍ଗ ହୋଇଯାଇଛି । ଯାହାର ପ୍ରତିବାଦରେ ବିକ୍ଷୋଭ କରୁଥିବାବେଳେ ଲଣ୍ଡନରେ ହିନ୍ଦୁ ଏବଂ ଖାଲିସ୍ତାନୀ ସମ୍ପ୍ରଦାୟ ମୁହାଁମୁହିଁ ହୋଇଛନ୍ତି ।
ଲଣ୍ଡନରେ ଥିବା ବାଂଲାଦେଶ ଉଚ୍ଚାୟୋଗ ସମ୍ମୁଖରେ ବାଂଲାଦେଶର ହିନ୍ଦୁମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀପୁ ଚନ୍ଦ୍ରଙ୍କ ହତ୍ୟା କାଣ୍ଡକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହେଉଥିଲା । ଏହି ସମୟରେ ସେଠାରେ ଖାଲିସ୍ତାନୀ ସମର୍ଥକ ମାନେ ପହଁଚି ନାରାବାଜି କରିଥିଲେ । ଖାଲିସ୍ତାନୀମାନେ ଅନ୍ତରୀଣ ସରକାର ମହମ୍ମଦ ୟୁନୁସଙ୍କ ସମର୍ଥନରେ ବାହାରିଥିଲେ । ଖାଲି ହିନ୍ଦୁଙ୍କୁ ବିରୋଧ କରିନଥିଲେ ବରଂ ସେମାନଙ୍କୁ ମଧ୍ୟ ଧମକଚମକ ଦେଇଥିଲେ । ପରିସ୍ଥିତି ଅଣାୟତ ହେଉଥିବା ଦେଖି ସ୍ଥାନୀୟ ପୋଲିସ ହସ୍ତକ୍ଷେପ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା ।
ତେବେ ଏହା ଭାରତ ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି । ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନ ବାରମ୍ବାର ଭାରତ ବିରୋଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ମନ୍ତବ୍ୟ ଦେଇ ଟାର୍ଗେଟ୍ କରିଥାଏ । ନିକଟରେ ଏକ ଭିଡ଼ିଓ ଜାରି କରି ବାଂଲାଦେଶର ସମର୍ଥନରେ କହିଥିଲା । ପୂର୍ବ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ପନ୍ନୁ ଷଡ଼ଯନ୍ତ୍ର କରୁଛି । ନିକଟରେ ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ନାଗାଲାଣ୍ଡକୁ ମିଶାଇ ଅନ୍ୟ ଏକ ଦେଶ ଗଠନ କରିବାକୁ ଦାବି କରିଛି । ସେ ନିଜର ଏହି କାଳ୍ପନିକ ଦେଶର ନାମ ‘ଟ୍ରମ୍ପଲ୍ୟାଣ୍ଡ’ ରଖିଛି । ସେହିପରି ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି କହିଛି ।