ନୂଆଦିଲ୍ଲୀ: ବିହାରରେ ବଥୁଆ ନଦୀ ରେଳ ବ୍ରିଜ୍ ଉପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସିମେଣ୍ଟ ଭର୍ତ୍ତି ଏକ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ ୩ ତିନୋଟି ବଗି ନଦୀ ଗର୍ଭରେ ପଡ଼ିଯାଇଛି । ରେଳ ବିଭାଗ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ରେଳ ବଗି ଗୁଡ଼ିକୁ ଉଦ୍ଧାର କରିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ-ହାୱଡ଼ା ମୁଖ୍ୟ ରେଳ ପଥରେ ଆସନସୋଲ ରେଳ ଡିଭିଜନର ଜମୁଈ ଜିଲ୍ଲା ଅନ୍ତର୍ଗତ ଟେଲବା ବଜାର ନିକଟରେ ମାଲବାହୀ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଟ୍ରେନରେ ସିମେଣ୍ଟ ନେଇ ଜସୀଡିହରୁ ଝାଝା ଅଭିମୁଖେ ଯାଉଥିଲା । ଏହି ସମୟରେ ବଥୁଆ ନଦୀ ବ୍ରିଜ୍ ଉପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ଲୋକେ ଭୟଙ୍କର ଶବ୍ଦରେ ଭୟଭୀତ ହୋଇପଡ଼ିଥିଲେ । ବ୍ରିଜ୍ ସଂଖ୍ୟା ୩୪୪/୧୮ର ପୁଲ ସଂଖ୍ୟା ୬୭୬ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନଟି ବ୍ରିଜରୁ ବାହାରିବା ସମୟରେ ବଗି ଗୁଡ଼ିକ ଭାରସାମ୍ୟ ହରାଇ ଟ୍ରାକରୁ ବାହାରି ଯାଇଥିଲା ।
ଏହା ପରେ ଜସୀଡୀହ-ଝାଝା ମଧ୍ୟରେ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଦିଲ୍ଲୀ-ହାୱଡ଼ା ମୁଖ୍ୟ ମାର୍ଗରେ ମଧ୍ୟ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଦୁର୍ଘଟଣାର ଖବର ପାଇ ପୋଲିସ, ଆରପିଏଫ୍ ଏବଂ ରେଳ କର୍ମଚାରୀ ପହଁଚି ତଦାରଖ କରିଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।