ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଗଣତିମଣତି ନେଇ କୌଣସି ଦିନ ଧାର୍ଯ୍ୟ ହୋଇ ପାରିନାହିଁ । ଆସନ୍ତା ଜାନୁୟାରୀରେ ରତ୍ନ ଅଳଙ୍କାର ଗଣତି ନେଇ ଯେଉଁ ଆଶା କରାଯାଉଥିଲା ତାହା ସ୍ପଷ୍ଟ ହୋଇପାରିନାହିଁ । ତଥାପି ରଥଯାତ୍ରା ପୂର୍ବରୁ ଗଣତିମଣତି ଶେଷ ହୋଇପାରେ ବୋଲି କମିଟି ଅଧ୍ୟକ୍ଷ ବିଚାରପତି ବିଶ୍ୱନାଥ ରଥ କହିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବସିଥିବା ବୈଠକରେ ୧୧ ପୃଷ୍ଠାର ମାର୍ଗଦର୍ଶିକା ଚିଠା ପ୍ରସ୍ତାବ ପାରିତ ହୋଇଛି । ଏହାକୁ ପରିଚାଳନା କମିଟି ନିକଟରେ ଉପସ୍ଥାପିତ କରାଯିବ । ଏହା ସରକାରଙ୍କ ଅନୁମୋଦନ ପାଇବା ପରେ ଗଣତି ଆରମ୍ଭ ହେବ । ପ୍ରସ୍ତାବରେ ଗଣତିମଣତି ସମୟରେ ଯେପରି ଶ୍ରୀଜୀଉଙ୍କ ନୀତିକାନ୍ତି ବ୍ୟାଘାତ ନ ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ନାହିଁ, ଶ୍ରଦ୍ଧାଳୁମାନେ ବାହାର କାଠରୁ ରହି ଦର୍ଶନ କରିବେ । ମାତ୍ର ଭିତରକାଠ ଦର୍ଶନ ବନ୍ଦ ରହିବ । କେବଳ ଅଧିକୃତ ସେବକମାନେ ସ୍ୱତନ୍ତ୍ର ପରିଚୟ ପତ୍ର ନେଇ ଗର୍ଭଗୃହ ଭିତରକୁ ପ୍ରବେଶ କରିବେ । ତିନୋଟି ପର୍ଯ୍ୟାୟରେ ଗଣତିମଣତି ହେବ । ପ୍ରଥମେ ନିୟମିତ ବ୍ୟବହାର୍ଯ୍ୟ ଅଳଙ୍କାର ବା ଚଳନ୍ତି ଅଳଙ୍କାର, ଦ୍ୱିତୀୟରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଏବଂ ଶେଷରେ ଭିତର ରତ୍ନଭଣ୍ଡାର ଗଣତିମଣତି କରାଯିବ ।
ଗଣତିମଣତି ପାଇଁ ମଧ୍ୟ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିପାରିବେ । ପରିଚାଳନା କମିଟିର ପ୍ରତିନିଧି, ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିନିଧି ଏବଂ ବଣିଆ ସେବକମାନେ ଉପସ୍ଥିତ ରହିବେ । ଗଣତି କରାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ୧୯୭୮ ତାଲିକା ସହିତ ମେଳ କରାଯିବ । ପ୍ରତ୍ୟେକ ଦିନ ରତ୍ନ ଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ ଏବଂ ଗଣତି ସମୟରେ ଭିଡ଼ିଓଗ୍ରାଫି ଏବଂ ସ୍କ୍ରିନିଂ ମଧ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।