ନୂଆଦିଲ୍ଲୀ: ସିଜେଆଇ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ପୀଠ ଉନ୍ନାଓ ଦୁଷ୍କର୍ମ କେସରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟ କୁଲଦୀପ ସେଙ୍ଗରଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ଆଜୀବନ ସଜାକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରି ଜାମିନ ପ୍ରଦାନ କରିଥିଲେ । ସିଜେଆଇ କହିଛନ୍ତି, ହାଇକୋର୍ଟର ଯେଉଁ ଜଜ ଏହି ନିଷ୍ପତ୍ତି ଶୁଣାଇଛନ୍ତି ସେ ବହୁତ ଭଲ ବିଚାରପତି । କିନ୍ତୁ ତ୍ରୁଟି ତ ଯେ କୌଣସି ଲୋକଙ୍କ ଦ୍ୱାରା ହୋଇପାରେ । ପୋକ୍ସୋ ଆଧାରରେ ଯଦି କନଷ୍ଟେବଲ ଲୋକ ସେବକ ହୋଇପାରେ ତେବେ ବିଧାୟକଙ୍କୁ କାହିଁକି ଅଲଗା ରଖାଗଲା ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେକେ ମାହେଶ୍ୱରୀ ଓ ବିଚାରପତି ଅଗଷ୍ଟିନ ଜରଜ ମସିହଙ୍କ ଅବକାଶକାଳୀଣ ପୀଠ ଯାଚିକା ଉପରେ ଶୁଣାଣି କରିଛନ୍ତି । ହାଇକୋର୍ଟ ସେଙ୍ଗରଙ୍କ ସଜାକୁ ନିଲମ୍ବିତ କରିବା ସହ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ହେଲେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ ମାମଲାରେ କୁଲଦୀପ ସେଙ୍ଗର ୧୦ ବର୍ଷର ସଜା କାଟୁଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ପୀଡିତା ଓ ତାଙ୍କ ପରିବାର ଲଗାତାର ଦିଲ୍ଲୀ ହାଇକୋର୍ଟ ବାହାରେ ପ୍ରଦର୍ଶନ କରୁଛନ୍ତି ।
ସିବିଆଇ ପକ୍ଷରୁ ହାଜର ଏସଜି ତୁଷାର ମେହଟ୍ଟା କହିଛନ୍ତି, ନାବାଳିକାଙ୍କ ସହ ଭୟାନକ ଦୁଷ୍କର୍ମ ଘଟଣା ଘଟିଛି । ହାଇକୋର୍ଟ ଆଇପିସିର ସେକ୍ସନ ୩୭୬ ଓ ପୋକ୍ସୋର ସେକ୍ସନ ୫ ଉପରେ ଧ୍ୟାନ ଦେଇ ନାହାନ୍ତି । ଏହା ଉପରେ ଜଷ୍ଟିସ ଜେକେ ମାହେଶ୍ୱରୀ କହିଛନ୍ତି, ସେକ୍ସନ ୩୭୬ ଉପରେ ବିଚାର କରାଯାଇଛି । ଏସଜି ମେହଟ୍ଟା କହିଛନ୍ତି, ହାଇକୋର୍ଟ ଅନେକ ଦିଗ ଉପରେ ଦୃଷ୍ଟି ଦେଇ ନ ଥିବା ବେଳେ ଏହା ନାବାଳିକା ପୀଡିତ ମାମଲା ।
ଏସଜି ତୁଷାର ମେହଟ୍ଟା କହିଛନ୍ତି ସେଙ୍ଗରଙ୍କୁ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଘଟଣା ସମୟରେ ପୀଡିତାଙ୍କ ବୟସ ୧୫ ବର୍ଷ ୧୦ ମାସ ଥିଲା । ତେଣୁ ପୂର୍ବତନ ବିଧାୟକଙ୍କ ଉପରେ ପୋକ୍ସୋ ଆଧାରରେ ଦଣ୍ଡ ଦିଆଯାଉ । ଏହା ପୂର୍ବରୁ ୨୦୧୯ରେ ଦିଲ୍ଲୀର ଟ୍ରାଏଲ କୋର୍ଟ କୁଲଦୀପ ସିଂହ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ପୀଡିତାଙ୍କ ପିତାଙ୍କ ପୋଲିସ ହେପାଜତରେ ମୃତ୍ୟୁ ଓ ସାକ୍ଷୀଙ୍କୁ ପ୍ରଭାବିତ କରିବା ମାମଲାରେ କୁଲଦୀପ ସେଙ୍ଗରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।