ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ୨୦୨୬ର ଆରମ୍ଭ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ କରିବ । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଏହା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ମାତ୍ର ଏ ପର୍ଯ୍ୟନ୍ତ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇନି । ଏହାକୁ ନେଇ ଆସିଛି ବଡ ଅପଡେଟ୍ ।
ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଜାନୁଆରୀ ୪ ସୁଦ୍ଧା ଭାରତୀୟ ଦିନିିକିଆ ଦଳ ଘୋଷଣା କରିବେ । ଶନିବାର କିମ୍ବା ରବିବାର ଦଳ ଘୋଷଣା ହୋଇପାରେ । ଏହି ବୈଠକରେ ଅଧିନାୟକ ଶୁଭମନ ଗିଲ ମଧ୍ୟ ଭିିଡିଓ କନଫରେନ୍ସିଂ ଜରିଆରେ ସାମିଲ୍ ହେବେ । ଗିଲ୍ ବର୍ତ୍ତମାନ ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି । ଏହି କାରଣରୁ ସେ ବ୍ୟକ୍ତିଗତ ଭାବେ ବୈଠକରେ ଯୋଗ ଦେଇ ପାରିବେ ନାହିଁ ।
ଶୁଭମନ ଗିଲ ଏହି ସିରିଜରେ ପୁଣି ଥରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି। ପୂର୍ବରୁ, କେଏଲ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିଥିଲେ ଏବଂ ଭାରତ ସିରିଜକୁ ୨-୧ରେ ଜିତିଥିଲା। ବର୍ତ୍ତମାନ, ଚୟନକର୍ତ୍ତାମାନେ ଗିଲଙ୍କୁ ପୁଣିଥରେ ଅଧିନାୟକ ଭାବରେ ନିଯୁକ୍ତ କରିବା ବିଷୟରେ ବିଚାର କରୁଛନ୍ତି। ଏହି ସମୟରେ, ଉପ-ଅଧିନାୟକ ଶ୍ରେୟସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ତା\'ର ଦିନିକିଆ ଏବଂ ଟି୨୦ ଉଭୟ ଦଳ ଘୋଷଣା କରିଛି। ଅଲରାଉଣ୍ଡର ମାଇକେଲ ବ୍ରେସୱେଲ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡର ଅଧିନାୟକ ହେବେ। ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଦିନିକିଆ ସିରିଜ ଖେଳିବେ ନାହିଁ । କିନ୍ତୁ ଟି୨୦ ସିରିଜରେ ଦଳର ନେତୃତ୍ୱ ନେବେ।
Also read: ବକ୍ସିଂ ଡେ ଟେଷ୍ଟରେ ବୋଲରଙ୍କ ରାଜୁତି, ୨ ଦିନରେ ମ୍ୟାଚ୍ ଶେଷ; ଆସେସ ଇତିହାସରେ ଘଟିଲା ୨ୟ ଥର