ନୂଆଦିଲ୍ଲୀ: ବଡ଼ ଦିନ ପରେ ଏବେ ବର୍ଷର ଶେଷ ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖରେ ପୁଣି ଥରେ ସମସ୍ତ ଅନଲାଇନ ଡେଲିଭରି କମ୍ପାନୀ କର୍ମଚାରୀ ଏବଂ ଗିଗ୍ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ଫୁଡ୍ ଡେଲିଭରି କମ୍ପାନୀ ସ୍ୱିଗି, ଜୁମାଟୋ, ଜେପ୍ଟୋ, ବ୍ଲିଙ୍କିଟ୍, ଆମାଜନ ଏବଂ ଫ୍ଲିପକାର୍ଟର ଆଦି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ । ଦରମା ବୃଦ୍ଧି, ସୁରକ୍ଷା ଏବଂ କାମ ପରିସ୍ଥିତିକୁ ନେଇ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ।
ଇଣ୍ଡିଆନ ଫେଡେରସନ୍ ଅଫ୍ ଆପ୍-ବେସ୍ଡ ଟ୍ରନ୍ସପୋର୍ଟ ୱାକର୍ସ (ଆଇଏଫଏଟି) ଏବଂ ତେଲେଙ୍ଗାନା ଗିଗ୍ ଏଣ୍ଡ୍ ପ୍ଲେଟଫର୍ମ ୱାକର୍ସ ୟୁନିୟନ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି । ଗିଗ୍ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ଦରମା, କିଲୋମିଟର ପ୍ରତି ୨୦ ଟଙ୍କାର କ୍ଷତିପୂରଣ, ୮ ଘଣ୍ଟାରୁ ଅଧିକ କାମ କଲେ ଓଭର୍ ଟାଇମ୍ ଦରମା, ସ୍ୱାସ୍ଥ୍ୟ ବୀମା ଏବଂ ୧୦ ମିନିଟରେ ଡେଲିଭରି ଭଳି ବ୍ୟବସ୍ଥାକୁ ବନ୍ଦ କରିବାକୁ ଦାବି କରିଛନ୍ତି । ସେହିପରି ଶୀତ ଦିନରେ କୁହୁଡ଼ି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ସେହି ସମୟରେ ରାତି ୧୧ଟା ପରେ କାମ ବନ୍ଦ କରିବାକୁ ଦାବି କରିଛନ୍ତି ।
ତେବେ ଡିସେମ୍ବର ୩୧ ବର୍ଷର ଶେଷ ଦିନ ହେଉଥିବାରୁ ସେହି ଦିନ ଅନଲାଇନ୍ ଡେଲିଭରି ବନ୍ଦ ହେଲେ ଗ୍ରାହକଙ୍କ ଉପରେ ଗଭୀର ପ୍ରଭାବ ପଡ଼ିପାରେ । ସେହିଦିନ ଅଧିକ ଖାଦ୍ୟ ଅର୍ଡର ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ । ଡିସେମ୍ବର ୨୫ରେ ମଧ୍ୟ ଦେଶବ୍ୟାପୀ ଆନ୍ଦୋଳନ ହୋଇଥିଲା । ଯାହାର ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଥିଲା ।