ନୂଆଦିଲ୍ଲୀ: ଦୀର୍ଘ ବର୍ଷ ହେବ ଦୁଇ ପଡ଼ୋଶୀ ଦେଶ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧରେ ଯବନିକା ପଡ଼ିପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ପରେ ଏହି ଆଶା ଉଜ୍ଜୀବିତ ହୋଇଛି । ତଥାପି କେବେ ଏହି ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ସ୍ପଷ୍ଟ ହୋଇପାରି ନାହିଁ । ୨୦-ସୂତ୍ରୀ ଶାନ୍ତି ଯୋଜନାରେ ୯୦ ପ୍ରତିଶତ ସହମତି ଅଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।
ରବିବାର ଦିନ ଦୁଇ ରାଷ୍ଟ୍ର ନେତା ଟ୍ରମ୍ପ୍ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଫ୍ଲୋରିଡା ଇଷ୍ଟେଟରେ ସାକ୍ଷାତକାର ହୋଇଛି । ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ଦୀର୍ଘ ସମୟର ଆଲୋଚନା ପରେ ଦୁଇ ନେତା ମାର୍-ଆ-ଲାଗୋ ରିସର୍ଟ ବାହାରେ ଠିଆ ହୋଇ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ଶେଷ ପର୍ଯ୍ୟାୟରେ ଅଛି। ମୁଁ ଭାବୁଛି ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଆମେ ଦେଖିବୁ । ନଚେତ୍, ଏହା ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରକ୍ରିୟା ପାଇଁ ତାଙ୍କର କୌଣସି ସମୟସୀମା ନାହିଁ ବୋଲି କହିଛନ୍ତି ଟ୍ରମ୍ପ । ସେ ଆହୁରି କହିଛନ୍ତି ଯେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଶାନ୍ତି ପ୍ରତି ବହୁତ ସମ୍ବେଦନଶୀଳ ଅଛନ୍ତି । ୟୁକ୍ରେନ୍ର ସୁରକ୍ଷା ଗ୍ୟାରେଣ୍ଟି ଦେବା ପାଇଁ ଏକ ଦୃଢ଼ ଚୁକ୍ତି ହେବ, ଯେଉଁଥିରେ ୟୁରୋପୀୟ ଦେଶଗୁଡ଼ିକ ସାମିଲ ହେବେ । ଜେଲେନସ୍କିଙ୍କ ସହ ବୈଠକର କିଛି ଘଣ୍ଟା ପୂର୍ବରୁ ତାଙ୍କର ରାଷ୍ଟ୍ରପତି ପୁତିନ୍ଙ୍କ ସହିତ ଏକ ଫଳପ୍ରଦ ଆଲୋଚନା ହୋଇଥିଲା ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, "ରୁଷ ୟୁକ୍ରେନର ସଫଳତା ଚାହୁଁଛି । ରାଷ୍ଟ୍ରପତି ପୁତିନ ୟୁକ୍ରେନର ସଫଳତା ପାଇଁ ତାଙ୍କର ପ୍ରତିବଦ୍ଧତା ସହିତ ବହୁତ ଉଦାର ଥିଲେ, ଯେଉଁଥିରେ ଅତି କମ ମୂଲ୍ୟରେ ଶକ୍ତି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବା ଅନ୍ତର୍ଭୁକ୍ତ ଅଟେ । ତେଣୁ ଆଜି ସେହି ଆହ୍ୱାନରୁ ଭଲ ନିଷ୍କର୍ଷ ବାହାରିଛି ।
ସେହିପରି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ସାମ୍ବାଦିକଙ୍କ ସମ୍ବୋଧନ କରି କହିଛନ୍ତି ଯେ ସମସ୍ତ ବିଷୟ ଉପରେ ଏକ ବିସ୍ତୃତ ଆଲୋଚନା ହୋଇଛି । ସେ ଗତ କିଛି ସପ୍ତାହ ମଧ୍ୟରେ ଆମେରିକୀୟ ଏବଂ ୟୁକ୍ରେନୀୟ ଦଳ ଦ୍ୱାରା ହୋଇଥିବା ଅଗ୍ରଗତିକୁ ପ୍ରଶଂସା କରିଛନ୍ତି । ଶାନ୍ତି ପାଇଁ ସମସ୍ତ ଦିଗ ଉପରେ ଆଲୋଚନା ହୋଇଛି । ୨୦-ସୂତ୍ରୀ ଶାନ୍ତି ଯୋଜନାରେ ୯୦ ପ୍ରତିଶତ ସହମତି ଅଛି । ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ୧୦୦ ପ୍ରତିଶତ ସହମତି ଏବଂ ଆମେରିକା-ୟୁରୋପ-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ପ୍ରାୟ ସହମତି ଅଛି । ସାମରିକ ଦିଗ ଉପରେ ୧୦୦ ପ୍ରତିଶତ ସହମତି ଅଛି । ଜେଲେନସ୍କି କହିଛନ୍ତି ସମୃଦ୍ଧି ଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଛି । ସ୍ଥାୟୀ ଶାନ୍ତି ହାସଲ କରିବାରେ ସୁରକ୍ଷା ଗ୍ୟାରେଣ୍ଟି ଏକ ପ୍ରମୁଖ ମାଇଲଖୁଣ୍ଟ ବୋଲି ଆମେ ସହମତ ଏବଂ ଆମର ଦଳଗୁଡ଼ିକ ସମସ୍ତ ଦିଗ ଉପରେ କାର୍ଯ୍ୟ ଜାରି ରଖିବେ । ୟୁକ୍ରେନ ଶାନ୍ତି ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଜେଲେନସ୍କି ।