ବିଶାଖାପାଟଣା: ଟାଟା-ଏର୍ଣ୍ଣାକୁଲମ ଏକ୍ସପ୍ରେସ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଟ୍ରେନରେ ଦୁଇଟି ବଗିରେ ନିଆଁ ଲାଗିଯାଇଛି । ଫଳରେ ଜଣେ ୭୦ ବର୍ଷିୟ ବୃଦ୍ଧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ବର୍ତ୍ତି ଯାଇଛନ୍ତି ।
ରବିବାର ବିଳମ୍ବିତ ରାତିରେ ଟ୍ରେନଟି ଝାଡ଼ଖଣ୍ଡର ଟାଟା ନଗରରୁ କେରଳର ଏର୍ଣ୍ଣାକୁଲମ ଅଭିମୁଖେ ଯାଉଥିବାବେଳେ ଆନ୍ଧ୍ର ପ୍ରଦେଶ ଅନକାପାଲି ଜିଲ୍ଲା ଅନ୍ତର୍ଗତ ୟାଲାମଞ୍ଚାଲି ଷ୍ଟେସନରେ ନିକଟରେ ନିଆଁ ଲାଗିଥିଲା । ଟ୍ରେନର ଚାଳକ ଦେଖିଥିଲେ ଯେ ଏସି ବଗିରେ ନିଆଁ ଲାଗିଛି ଏବଂ ଉପସ୍ଥିତ ବୁଦ୍ଧିରେ ତୁରନ୍ତ ଟ୍ରେନକୁ ଅଟକାଇଦେଇଥିଲେ । ପ୍ରଥମେ ବି୧ କୋଚରେ ନିଆଁ ଲାଗିଥିଲା । ରେଳ କର୍ମଚାରୀମାନେ ଅନ୍ୟ ବଗିଗୁଡ଼ିକୁ ତୁରନ୍ତ ଅଲଗା କରିଦେଇଥିଲେ । ପରେ ବି୧ ଏବଂ ବି୨ କୋଚରେ ସମ୍ପୂର୍ଣ୍ଣ ନିଆଁ ଲାଗି ଯାଇଥିଲା । ଏମାନଙ୍କ ମଧ୍ୟର ଜଣେ ବୃଦ୍ଧ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅନ୍ୟମାନେ ସାମାନ୍ୟ ବର୍ତ୍ତି ଯାଇଛନ୍ତି । ଉଭୟ ବଗିରେ ୧୫୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଗୋଟିଏ ବଗିରେ ୮୨ ଜଣ ଏବଂ ଅନ୍ୟ ଏକ ବଗିରେ ୭୬ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି ବୋଲି ଏସପି ତୁହିନ ସିହ୍ନା କହିଛନ୍ତି ।
ରେଳ ବିଭାଗ ଅଧିକାରୀଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଆନ୍ଧ୍ର ଗୃହ ମନ୍ତ୍ରୀ ବି ଅନିତା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।