ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ ରାଜ୍ୟରେ ବିଭିନ୍ନ ପରିବର୍ତ୍ତନ ହେବା ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଛି। ଏପରିକି ଆମକୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କର ଅନେକ ସୁବିଧା କରିବା ପରେ ଏବେ ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର ଆଣିଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫ ଶେଷ ହୋଇ ୨୦୨୬ ଆରମ୍ଭ ହେଉଥିବା ସମୟରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରବିବାର କେନ୍ଦୁଝରର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କଳାକାରଙ୍କର ଆମ କଳା ସଂକୃତିକୁ ଜୀବିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନତ୍ରୀ କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ପାରମ୍ପରିକ କଳାକାରଙ୍କ ଭତ୍ତା ବଢିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ରାଜ୍ୟର କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ଏପରିକି ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନ ବଢିଛି ବୋଲି ସାଧରଣରେ ଚର୍ଚ୍ଚା ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରମାନଙ୍କ ଭତ୍ତା ବୃଦ୍ଧି ହୋଇଛି। ଏହି ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏହାଦ୍ବାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ।
ଅଧିକ ପଢନ୍ତୁ : ଜାଡରେ ଥରୁଛି ସାରା ରାଜ୍ୟ : ବଢୁଛି ଘନ କୁହୁଡି ସାଙ୍ଗକୁ ପ୍ରବଳ ଶୀତ