ସୋମବାର ରାତିରେ ଯାଜପୁରରେ ଘଟିଛି ବଡ଼ଧରଣର ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଯାଜପୁର ୧୬ ନଂ ଜାତୀୟ ରାଜପଥର କୁଆଖିଆ ଥାନା ବାରବାଟି ଛକ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ୨୫ ଜଣଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି।ସେମାନେ ଏବେ ICU ଅଛନ୍ତି । ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଜେ ସିଡିଏମଓ ଏକ ଟିମ ସହ ଦୁର୍ଘଟଣାସ୍ଥଳରେ ପହଂଚି ଥିଲେ ।
ସୂଚନା ଅନୁସାରେ, ‘କାଳିଆନନା’ ନାମକ ବସଟି ଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯିବା ବେଳେ କୁଆଖିଆ ନିକଟ ଫ୍ଲାଏଓଭର ଉପରେ ଜଣେ ବାଇକ୍ ଆରୋହୀଙ୍କୁ ବସ ଡ୍ରାଇଭର ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ବସ୍ଟି ଭାରସାମ୍ୟ ହରାଇ ଫ୍ଲାଏଓଭର ତଳକୁ ଖସିପଡ଼ିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବ୍ରିଜ୍ ତଳକୁ ଖସି ବସ୍ଟି ଚେପା ହୋଇଯାଇଥିବାରୁ ଯାତ୍ରୀଙ୍କୁ ବାହାରକୁ ଆଣିବା କଷ୍ଟକର ହୋଇଥିଲା । ଖବର ପାଇ କୁଆଖିଆ ଓ ଧର୍ମଶାଳାର ପୋଲିସ ସହିତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଘଟଣା ସ୍ଥଳରେ ୧୬ଟି ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଧର୍ମଶାଳା ଡାକ୍ତରଖାନାକୁ ନେଇଥିଲେ । ୮ଟି ଆମ୍ବୁଲାନ୍ସରେ ୨୫ ଜଣ ଗୁରୁତର ଆହତଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ଆହତ କିଛି ଯାତ୍ରୀଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ସୂଚନା ରହିଛି ।
ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛ । ଏଥିସହ ଆହତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଦୁର୍ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ‘‘ଯାଜପୁର କୁଆଖିଆ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗସ୍ତ ଘଟଣାରେ ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ମହାପ୍ରଭୁଙ୍କ ପାଖରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।’’
ଅଧିକ ପଢ଼ନ୍ତୁ : ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା