ଆଜି ଚୈତ୍ର ଶୁକ୍ଲ ଅଷ୍ଟମୀ ବା ପବିତ୍ର ଅଶୋକାଷ୍ଟମୀ ଆଉ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ । ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ହେଉଛନ୍ତି ସାରଥୀ । ଦୈନନ୍ଦିନ ନୀତି ଅନୁସାରେ ଦିନ ୧୨ଟାରେ ମଙ୍ଗଳ ଆଳତି, ୨ଟାରେ ଭୋଗ ଲାଗି ପରେ ପହଣ୍ଡି କରାଯାଇ ୩ଟା ସମୟରେ ରଥଟଣା ହେବ । ବଲ୍ଲଭ ଧୂପ ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଶ୍ରୀଦୋଳଗୋବିନ୍ଦ ଓ ଦେବୀ ଭୁବନେଶ୍ୱରୀ ମୁଖ୍ୟ ମନ୍ଦିରରେ ମହାପ୍ରଭୁଙ୍କ ଭେଟ ଆଳତୀ ପରେ ଆଜ୍ଞାମାଳ ନେଇ ପହଣ୍ଡି ବିଜେ କରନ୍ତି । ନାଟମଣ୍ଡପର ଦକ୍ଷିଣ ଦ୍ୱାରାରେ ବିଭିଷଣ ଆଳତୀ ପରେ ତିନି ବିଗ୍ରହ ଗୋଟିଏ ଥର ମନ୍ଦିର ପରିକ୍ରମା କରନ୍ତି । ତାପରେ ଘଣ୍ଟା, ଘଣ୍ଟ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ପହଣ୍ଡି ବିଜେ କରି ରଥଖଳାରେ ପହଞ୍ଚିବା ପରେ ମହାପ୍ରଭୁ ତିନି ଥର ରଥ ପରିକ୍ରମା କରିଥାନ୍ତି । ତତ୍ପରେ ଚାରମାଳ ଆରୋହଣ କରି ରଥ ଉପରେ ପୁଣି ତିନି ଥର ପରିକ୍ରମା କରି ସିହାଂସନରେ ଉପବେଶନ କରନ୍ତି । ପରେ ପରେ ଠାକୁରମାନଙ୍କୁ ଫୁଲ ଟାହିଆ ଲାଗି କରାଯାଇଥାଏ । ଏହା ପରେ ଚାରି ଚକ ପୂଜା, ଘୋଡା ପୂଜା, ଦିଗପାଳଙ୍କୁ ପୂଜା କରାଯାଇଥାଏ । ସମମସ୍ତ ପୂଜାବିଧି ସାରିବା ପରେ ରଥରେ ମହାପାତ୍ର ଉପାଧିଧାରୀ ବ୍ରାହ୍ମଣ ସେବାୟତମାନଙ୍କ ଦ୍ୱାରା ଚନ୍ଦନ ଛେରା ପକାଯାଇଥାଏ ଆଉ ଶଙ୍କରାଚାର୍ଯ୍ୟ ମଠ ଓ ଗୋପାଳବଲ୍ଲଭ ମଠ ପକ୍ଷରୁ ମହାପ୍ରଭୁଙ୍କ ପଂକ୍ତି ଭୋଗ ଅର୍ପଣ କରାଯାଇଥାଏ ।
ତେବେ ରୁକୁଣା ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ, ବିଏମସି, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସେବାୟତ ନିଯୋଗଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇଛି । ପ୍ରଚଣ୍ଡ ଖରା ଯୋଗୁଁ ପାନୀୟ ଜଳ ଯୋଗାଣ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦିର ଦାୟିତ୍ୱ ବିଏମସି ନେଇଛି । ସୁରକ୍ଷା ଦାୟିତ୍ୱରେ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହା ସହ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଅଧିକ ପଢ଼ନ୍ତୁ : ଶ୍ରୀମନ୍ଦିରରେ ନୂଆ ପାଞ୍ଜି ପ୍ରଚଳନ , ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଓ ଶ୍ରୀଗୁଣ୍ଡିଚା