ଶ୍ରୀମନ୍ଦିରରେ ନୂଆ ପାଂଜି ପ୍ରଚଳନ କରାଯାଇଛି । ମହାବିଷୁବ ସଂକ୍ରାନ୍ତି ବା ପବିତ୍ର ହିନ୍ଦୁ ନବବର୍ଷ ଠାରୁ ଏହି ନୂତନ ପଂଜିକାର ପ୍ରଚଳନ କରାଯାଇଥାଏ । ତେବେ ଚଳିତ ବର୍ଷ ପ୍ରଚଳିତ ପାଂଜିରେ ପର୍ବପର୍ବାଣୀର ତିଥି , ନକ୍ଷତ୍ର ଓ ଗ୍ରହ ଚଳନକୁ ନେଇ ଅଡୁଆ ଉପୁଜିଥିବା ଜଣାପଡିଛି । ଚଳିତ ବର୍ଷ ପଂଚୁକ ୫ ଦିନ ପରିବର୍ତେ ଚାରିଦିନ ପଡୁଛି । ଏବଂ ଗୋଟିଏ ଦିନରେ ନେତ୍ରୋତ୍ସବ , ନବଯୌାବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡୁଛି । ଯାହାକୁ ନେଇ ଦ୍ୱନ୍ଦ ଉପୁଜୁଛି । ତେବେ ପୂର୍ବରୁ ଏଭଳି ପରିସ୍ଥିତିରେ କିଭଳି ନୀତିକାନ୍ତି କରାଯାଇଛି । ତାର ତର୍ଜମା ପରେ ପଟିଦିଅଁଙ୍କ ଠାରି ଆଜ୍ଞାମାଳ ଆଣି ସିଂହଦ୍ୱାରକୁ ତିନିରଥର ବିଜେ ପର୍ବ ସମ୍ପନ୍ନ କରିବାକୁ ନିଷ୍ପତି ନିଆଯାଇଛି ।
ଚଳିତ ବର୍ଷ ଅଣସର ନୀତି ୧୫ ଦିନ ପରିବର୍ତେ ୧୩ ଦିନ ପଡୁଛି । ଉଭାଯାତ୍ରା ଓ ନେତ୍ରୋତ୍ସବ ଶ୍ରୀ ଗୁଣ୍ଡିଚା ଯାତ୍ରା ଦିନ ପଡୁଛି । ତେଣୁ ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବରାତିରୁ ଅନେକ ନୀତିକାନ୍ତି ରହୁଥିବାରୁ ସମୟ ଅଭାବ ପାଇଁ ଓ ନୀତି ଶୃଙ୍ଖଳା ପାଇଁ ନବଯୌବନ ଦର୍ଶନ ବନ୍ଦ ରହିବା ସମ୍ଭାବନା ରହିଛି।ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତଙ୍କ କହିବା ଅନୁସାରେ ,ଚଳିତବର୍ଷ ଜୁଲାଇ ୭ ତାରିଖରେ ରଥଯାତ୍ରା ସହ ଉଭା ଯାତ୍ରା ଓ ନେତ୍ରୋତ୍ସବ ଅନୁଷ୍ଠିତ ହେବ। ଏବଂ ଅଣସର ୧୫ ଦିନ ପରିବର୍ତ୍ତେ ୧୩ ଦିନ ଅନୁଷ୍ଠିତ ହେବ। ଠାକୁର ନବଯୌବନ ହେବେ ସତ, କିନ୍ତୁ ଦର୍ଶନ କିଭଳି ହେବ, ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ।
ଏଥର ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା ବି ୯ ଦିନରେ ଶେଷ ହେବ। ନବମ ଦିନରେ ଶ୍ରୀବିଗ୍ରହ ରଥାରୁଢ଼ ହୋଇ ବାହୁଡ଼ାଯାତ୍ରା କରିବେ। ସେହିଦିନ ରଥରେ ରହିବାପରେ ସୁନାବେଶ ଓ ଅଧରନୀତି ହୋଇ ଶ୍ରୀମନ୍ଦିରକୁ ଫେରିବେ। ତେବେ ଦିନ କ୍ଷୟ କାରଣରୁ ଏଥର କାର୍ତ୍ତିକ ମାସରେ ପଞ୍ଚୁକ ୫ ଦିନ ପରିବର୍ତେ ୪ ଦିନ ପାଳନ ହେବ। ଚତୁର୍ଦ୍ଦଶୀରେ ଠାକୁରଙ୍କ ରାଜାଧିରାଜ ବା ସୁନାବେଶ ହେବ। ପ୍ରତିବର୍ଷ ଚତୁର୍ଦ୍ଦଶୀରେ ଲକ୍ଷ୍ମୀ-ନୃସିଂହ ବେଶ ହୋଇଥାଏ। ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ ହୋଇଥାଏ। କିନ୍ତୁ ଲକ୍ଷ୍ମୀ-ନୃସିଂହ ବେଶ ଏଥର ହେବନି। ଏହି ଦିନ ରାଜାଧିରାଜ ହେବ ହେବ।
୧୯୫୯ ମସିହା ଓ ୧୯୭୧-୭୨ ମସିହା ଶ୍ରୀମନ୍ଦିର ନୀତିକାନ୍ତି ଆଧାରରେ ଏହି ନୀତିକାନ୍ତି କରାଯାଉଛି। ମୁକ୍ତିମଣ୍ଡପ ପଣ୍ଡିତସଭାର ପାଣ୍ଡୁଲିପି ଓ ହାତଗଣତି ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି ଯେ ୧୯୭୧ ମସିହାର ନୀତିକାନ୍ତି ତର୍ଜମା ପରେ ଏଥର ପଟିଦିଅଁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ତିନି ରଥ ସିଂହଦ୍ୱାର ଚକଡ଼ାକୁ ବିଜେ କରିବେ। ପରେ ରଥ ପ୍ରତିଷ୍ଠା ଓ ତିନି ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ।