ଭୁବନେଶ୍ୱର: ଆଜିଠାରୁ ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ଅଭିଭାଷଣ ରଖୁଛନ୍ତି ।
ରାଜ୍ୟପାଳ ବିଧାନସଭା ପରିସରରେ ପହଁଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଏହା ପରେ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିଛନ୍ତି । ପ୍ରଥମେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସମୀର ଦେ, ସ୍ୱର୍ଗତ ସୁରେନ୍ଦ୍ର ମୋହନ ମାଝୀ, ସ୍ୱର୍ଗତ ଅଶ୍ୱୀନୀ କୁମାର ଗୁରୁ,ସ୍ୱର୍ଗତ ଧନେଶ୍ୱର ମାଝୀ, ସ୍ୱର୍ଗତ ମକର ଧ୍ୱଜ ପ୍ରଧାନ, ସ୍ୱର୍ଗତ ନିରଞ୍ଜନ ପ୍ରଧାନ, ସ୍ୱର୍ଗତ ଉତ୍କଳ କେଶରୀ ପରିଡ଼ା, ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ବେହେରାସ ବିଜୟ କୁମାର ମହାନ୍ତି ଏବଂ ସ୍ୱର୍ଗତ ସଦନ ନାୟକ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଖଣିଜ ସଂପଦରେ ଭରପୂର ଓଡ଼ିଶା । ଚମତ୍କାର ବେଳାଭୂମି, ପର୍ବତମାଳା,ଐତିହ୍ୟ, କୀର୍ତ୍ତିରାଜିକୁ ନେଇ ପରିଚିତ ଓଡ଼ିଶା । ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେବାର ଦାୟିତ୍ୱ ମୋ ସରକାର ବହନ କରିଛନ୍ତି । 2024ରେ ମୋ ସରକାର ଗରିବ, ଯୁବବର୍ଗ, ଅନ୍ନଦାତା ଓ ନାରୀଶକ୍ତିକୁ ସଶକ୍ତ କରିବାର ସଂକଳ୍ପ ନେଇଛି ମୋ ସରକାର । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ନୀତି ଆଧାରିତ ବଜେଟ ଉପସ୍ଥାପନ କରିଥିଲେ । ଦାୟିତ୍ୱ ଗ୍ରହଣ କରିବାର 8ମାସ ବିତିଛି, ମାତ୍ର ମୋ ସରକାର ଏହି ସ୍ୱଳ୍ପ ସମୟରେ ବିଭିନ୍ନ ଐତିହାସିକ ନିଷ୍ପତି ନେଇଛନ୍ତି ଓ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହୋଇଛି । ଧାନର ଏମଏସପି ଉପରେ କ୍ୱିଣ୍ଟାଲ ପିଛା ଅଧିକ 8ଶହ ଟଙ୍କ ଇନପୁଟ ସହାୟତା ପ୍ରଦାନ କରାଯାଉଛି । ରତ୍ନଭଣ୍ଡାର ଖୋଲିଛି । ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଡିଜିପି ସମ୍ମିଳନୀ, ଉତ୍କର୍ଷ ଓଡ଼ିଶା, ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରିଛୁ ।
୨୦୨୪-୨୫ ବର୍ଷରେ ୧୫ଟି ଆଶ୍ରମ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ଏବଂ ୧୩ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛନ୍ତି ।
ସେ କହିଛନ୍ତି ଯେ, ମୋ ସରକାର ୨୦୨୪-୨୫ ଶିକ୍ଷାବର୍ଷରୁ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକରେ ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ କରିଛନ୍ତି । ଏଥି୍ରେ ସହଜରେ ପାଠ୍ୟକ୍ରମରୁ ବାହାରିବା ଏବଂ ପୁନଃପ୍ରବେଶ କରିବା ବିକଳ୍ପ ସହିତ ଚାରି ବର୍ଷିଆ ସ୍ନାତକୋତ୍ତର କାର୍ଯ୍ୟକ୍ରମ ପ୍ରଚଳନ ଏବଂ ନୂତନ ରାଜ୍ୟସ୍ତରୀୟ କ୍ରେଡିଟ୍ ସିଷ୍ଟମ ଅନ୍ତର୍ଭୁକ୍ତ ଯାହା ଦକ୍ଷତା ବିକାଶ, ଇଣ୍ଟର୍ନସିପ୍, ଗୋଷ୍ଠୀ ସେବା ଏବଂ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକଳାପକୁ ସମନ୍ବିତ କରିଥାଏ ।
ମୋ ସରକାର ଉଚ୍ଚଶିକ୍ଷାରେ ଉତ୍କର୍ଷତା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଉନ୍ନତ ଶିକ୍ଷା, ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଅନ୍ୟୁନ ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର ଖୋଲାଯିବ । ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଦିବ୍ୟାଙ୍ଗ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରୟାସ ରହିବ ଯାହାକି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସମାନ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରିବ । ଏନଇପି-୨୦୨୦ ଅନୁଯାୟୀ ୪ଟି ବିଶ୍ବବିଦ୍ୟାଳୟକୁ "ମେରୁ" (ମଲ୍ଟିଡିସିପ୍ଲିନାରୀ ଏଜୁକେସନ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି)କୁ ଉନ୍ନୀତ କରାଯିବ । କ୍ରମବର୍ଦ୍ଧିଷ୍ଣୁ ଉନ୍ନତ ଶିକ୍ଷାର ଚାହିଦାକୁ ପୂରଣ କରିବା ପାଇଁ ଆମେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ସ୍ନାତକୋତ୍ତର ଆସନ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି କରିବୁ ।
ମୋ ସରକାର ୨୦୨୪-୨୫ରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଏକ ଶକ୍ତିଶାଳୀ କୁଶଳୀ ଶ୍ରମଶକ୍ତି ଗଠନ ପାଇଁ ଓଡ଼ିଶାର ଲକ୍ଷ୍ୟକୁ ସୁଦୃଢ଼ କରିଛନ୍ତି ।
ରାଜ୍ୟପାଳ କହିଛନ୍ତି, ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରି କୃଷକ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ ମୋ ସରକାର ବିଶେଷ ଯତ୍ନବାନ ଅଛନ୍ତି । ସମୃଦ୍ଧି କୃଷକ ଯୋଜନା ମାଧ୍ୟମରେ, ବିଣ୍ଟାଲ ପିଛା ୮୦୦ ଟଙ୍କାର ଇନପୁଟ୍ ସହାୟତା ସହିତ ମୋ ସରକାର ଚଳିତ ଖରିଫ ଋତୁରେ ଚାଷୀଙ୍କଠାରୁ ୩୧୦୦ ଟଙ୍କାରେ ଧାନ ସଂଗ୍ରହ ଆରମ୍ଭ କରିଛନ୍ତି । ମୋ ସରକାର, ଛତୁ ଓ ଫୁଲ ଉତ୍ପାଦନକୁ ପ୍ରୋତ୍ସାହିତ କରି କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ଏହି କ୍ଷେତ୍ରରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସେ କହିଛନ୍ତି ଯେ,୨୦୪୭ ସୁଦ୍ଧା ବିକଶିତ ଭାରତରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ । ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି । ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ । ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ ।୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି ।
ସେ କହିଛନ୍ତି ଯେ,ମୋ ସରକାର "ଗୋଲ୍ ଫର୍ ମ୍ୟାନେଜମେଣ୍ଟ ଆଣ୍ଡ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ଲ (ଗୋମାତା) ଯୋଜନା ଅଧୀନରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ (ଏମଭିୟୁ) ମାଧ୍ୟମରେ କ୍ଷେତ୍ରସ୍ତରୀୟ ପ୍ରାଣୀ ଚିକିତ୍ସା ଅନୁଷ୍ଠାନରେ ଏବଂ କୃଷକଙ୍କ ଦ୍ବାରଦେଶରେ ବ୍ୟାପକ ପ୍ରାଣୀ ଚିକିତ୍ସା ସେବା ପ୍ରଦାନ କରିବା ସହିତ ପ୍ରାଣୀ ରୋଗର ନିୟନ୍ତ୍ରଣ ଏବଂ ସଂକ୍ରମଣ ନିରୋଧ ପାଇଁ ତୁରନ୍ତ ନିର୍ଣ୍ଣୟ ଓ ପ୍ରତିଷେଧକ ବ୍ୟବସ୍ଥା ପ୍ରଦାନ କରୁଛନ୍ତି ।
ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ରାଜ୍ୟରେ ଡାକ୍ତରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ତାଳଚେର ଓ ଫୁଲବାଣୀରେ ଦୁଇଟି ନୂତନ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଶେଷ - ହୋଇସାରିଥିବା ବେଳେ ୨୦୨୫-୨୬ରେ ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ - ନାମଲେଖା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ସ୍ବାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ମୋ ସରକାରଙ୍କ ପଦକ୍ଷେପର ଅଂଶ ସ୍ଵରୂପ ୨୦୨୪ ଡିସେମ୍ବରରେ କୋରାପୁଟରେ ନୂତନ ନସିଂ କଲେଜର ଶିଳାନ୍ୟାସ କରାଯାଇଛି । ଏହା ସହିତ ୨୯ ଅକ୍ଟୋବର ୨୦୨୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ୧୦୦ ଶଯ୍ୟା ବିଶିଷ୍ଟ ଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମାଲକାନଗିରି, ମୟୂରଭଞ୍ଜ ଓ ବଲାଙ୍ଗୀରରେ ଡେ-କେୟାର ପିଏଚସି, ବ୍ଲକ୍ ପବ୍ଲିକ୍ ହେଲଥ ୟୁନିଟ୍ (ବିପିଏଚୟୁ) ଓ ସବ୍-ଡିଭିଜନ୍ ହସ୍ପିଟାଲ୍ (ଏସଡିଏଚ୍) କୋଠା ସମେତ ୫୫ଟି ସ୍ୱାସ୍ଥ୍ୟସେବା କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମାନବ ସମ୍ବଳକୁ ସୁଦୃଢ଼ କରି ସ୍ବାସ୍ଥ୍ୟସେବା ବୃଦ୍ଧି ପାଇଁ ମୋ ସରକାର ୨୭୫୩ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ (ମହିଳା), ୨୩୯, ରେଡିଓଗ୍ରାଫର, ୮୫ ହୋମିଓପ୍ୟାଥ୍କ ଚିକିତ୍ସା ଅଧ୍ୟାକାରୀ, ୧୧୦ ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଏବଂ ୧୯ ଆୟୁର୍ବେଦିକ ଅଧ୍ୟାପକଙ୍କ ସମେତ ୬୫୯ ଜଣ ମେଡିକାଲ ଅଫିସର ଏବଂ ପାରାମେଡିକ୍ସଙ୍କୁ ନିଯୁକ୍ତ କରିଛନ୍ତି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।
ଅଧିକ ପଢ଼ନ୍ତୁ- ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାର ପର୍ଦ୍ଦାଫାସ, ବିଶାଖାପାଟଣାରୁ ଧରାପଡ଼ିଲା ଲୁଟେରା
ଏହି ଅଧିବେଶନ ଏପ୍ରିଲ୍ ୫ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟଦିବସ ସ୍ଥିରୀକୃତ ହୋଇଛି । ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଫେବ୍ରୁଆରି ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ୧୪ ଓ ୧୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆସିଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ଫେବ୍ରୁଆରି ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ମାର୍ଚ୍ଚ ୭ ତାରିଖରେ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ। ମାର୍ଚ୍ଚ ୧୦ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ମାର୍ଚ୍ଚ ୩୦ ତାରିଖ ରବିବାର ଓ ୩୧ ତାରିଖ ଇଦୁଲ୍ଫିତର୍ ପଡୁଥିବାରୁ ୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ ।