ଭୁୁବନେଶ୍ୱର : କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି । ଅଭିଯୁକ୍ତକୁ ବିଜୟୱାଡାରୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଅଭିଯୁକ୍ତ ସ୍ପାଇଡର ଶକ୍ତିକୁ ଧରିଛି କମିଶନରେଟ୍ ପୋଲିସ । ପ୍ରେସମିଟରେ ଏହାର ସୂଚନା ଦେଇଛନ୍ତି ପୋଲିସ କମିଶନର । ନିରଞ୍ଜନଙ୍କ ପରି ବରିଷ୍ଠ ରାଜନୈତିକ ବ୍ୟକ୍ତିଙ୍କ ଘରୁ ଚୋରି ହେବା ଘଟଣା ରାଜ୍ୟ ପୋଲିସର ପାରିବା ପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ।
କମିଶନର କହିଛନ୍ତି ଯେ, ୪ ଶହ ସିସିଟିଭି, ୧୦ ହଜାର ମୋବାଇଲ ଯାଞ୍ଚ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛୁ । ଶକ୍ତି ରେଡ୍ଡୀ ଓରଫ ସ୍ପାଇଡର ଶକ୍ତି ହେଉଛି ଘଟଣାର ମୁଖ୍ୟ ଅଭିଯୁକ୍ତ । ଅଭିଯୁକ୍ତକୁ ଗିରଫ କରାଯିବା ସହ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିବା ବିପୁଳ ହୀରା ଅଳଙ୍କାର ଜବତ ହୋଇଛି । କମିଶନର କହିଛନ୍ତି, ଧନୀ ଲୋକଙ୍କ ଘରକୁ ଟାର୍ଗେଟ୍ କରୁଥିବା ସ୍ପାଇଡର ଶକ୍ତି । ଗୁଗୁଲରୁ ସର୍ଚ୍ଚ କରି ଧନୀ ଲୋକଙ୍କ ଘରେ ପଶୁଥିଲା । ସ୍ପାଇଡର ଶକ୍ତି ନାଁରେ ୭୦ଟି ମାମଲାଥିବା କହିଛନ୍ତି ପୋଲିସ କମିଶନର ।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୫ ତାରିଖ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜରେ ଥିବା ଘର ଲୁଟ୍ ହୋଇଥିଲା । ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ଲୁଟେରା ଲୁଟ୍ କରିଥିଲା । ଅନ୍ୟପକ୍ଷେ ୨୦୨୩ ମସିହାରେ ନୟାପଲ୍ଲୀ ଅଂଚଳରେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରାୟେ ୨ କୋଟି ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ମଧ୍ୟ ସ୍ପାଇଡର ସାମିଲ ଥିଲା ବୋଲି ସୂଚନା ରହିଛି ।