ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସଂପନ୍ନ ହୋଇ ସାରିଛି। ଭାରତ ଶେଷ ଦିନିକିଆରେ ଇଂଲଣ୍ଡକୁ ୧୪୨ ରନରେ ହରାଇ ସିରିଜ୍ ୩-୦ରେ କ୍ଲିନ ସୁଇପ୍ କରିଛି। ଏବେ ଦଳର ନଜର ଚାମ୍ପିଅନ୍ସ ଟ୍ରଫି ଜିତିବା ଉପରେ ରହିଛି। ତେବେ ଚାମ୍ପିଅନ୍ସ ଟ୍ରଫିରେ କେଏଲ ରାହୁଲ ନା ଋଷଭ ପନ୍ତ କିଏ ଓ୍ଵିକେଟ୍ କିପିଂ ଦାୟିତ୍ଵ ସମ୍ଭାଳିବ ତାହା ବିତର୍କର ବିଷୟ ପାଲଟିଛି। ଆଉ ଏହା ଉପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫିରେ କେଏଲ ରାହୁଲ ଦଳର ପ୍ରଥମ ପସନ୍ଦର ଓ୍ଵିକେଟ୍ କିପର ହେବେ। ପନ୍ତଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବା ନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଆଯିବ ନାହିଁ।
ରାହୁଲ ଇଂଲଣ୍ଡ ଦିନିକିଆ ସିରିଜରେ ଓ୍ଵିକେଟ୍ କିପିଂ ଦାୟିତ୍ଵ ନିର୍ବାହ କରିଥିଲେ। ପନ୍ତଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଗୋଟିଏ ବି ମ୍ୟାଚ୍ରେ ଖେଳିବାର ସୁଯୋଗ ମିଳିନାହିଁ। ରାହୁଲଙ୍କୁ ପ୍ରଥମ ଦୁଇଟି ମ୍ୟାଚ୍ରେ ଷଷ୍ଠ ନମ୍ବରରେ ବ୍ୟାଟିଂ ପାଇଁ ପଠା ଯାଇଥିଲା, ଯେଉଁଥିରେ ସେ ସହଜ ଅନୁଭବ କରି ପାରି ନଥିଲେ। କିନ୍ତୁ ଅହମ୍ମଦାବାଦରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ନିଜ ପସନ୍ଦର ପଞ୍ଚମ କ୍ରମରେ ବ୍ୟାଟିଂ କରିଥିଲେ ଏବଂ ୨୯ ବଲ୍ରୁ ୪୦ ରନର ଦ୍ରୁତ ଇନିଂସ ଖେଳିଥିଲେ। ଚାମ୍ପିଅନ୍ସ ଟ୍ରଫି ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ବେଳେ ଭାରତ ନିଜର ଅଭିଯାନ ଫେବୃଆରୀ ୨୦ରୁ ଆରମ୍ଭ କରିବ।
କୋଚ୍ ବୁଧବାର ତୃତୀୟ ଦିନିକିଆ ଜିତିବା ପରେ କହିଛନ୍ତି, ରାହୁଲ ଏବେ ଆମର ଏକ ନମ୍ବର ଓ୍ଵିକେଟ୍ କିପର ବ୍ୟାଟର। ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ ମାତ୍ର ଏବେ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି। ଆମେ ତ ଗୋଟିଏ ମ୍ୟାଚ୍ରେ ଦୁଇ ଜଣ ଓ୍ଵିକେଟ୍ କିପରଙ୍କୁ ଖେଳାଇ ପାରିବୁ ନାହିଁ। ପଞ୍ଚମ କ୍ରମରେ ଭଲ ପ୍ରଦର୍ଶନ କରୁଥିବା ରାହୁଲଙ୍କ ଜାଗାରେ ପ୍ରଥମ ଦୁଇଟି ମ୍ୟାଚ୍ରେ କାହିଁକି ଅକ୍ଷର ପଟେଲ୍ଙ୍କୁ ବ୍ୟାଟିଂ କରାଗଲା ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଛନ୍ତି ଯେ, ଦଳର ହିତ ସର୍ବୋପରି। ଆମେ ବ୍ୟାଟିଂ ହାର ଓ ରେକର୍ଡ ଉପରେ ଗୁରୁତ୍ଵ ଦେଉନି। ଆମେ ଏହା ଦେଖୁ ଯେ, କେଉଁ ସ୍ଥିତିରେ କେଉଁ ଖେଳାଳି ଉନ୍ନତ ପ୍ରଦର୍ଶନ କରି ପାରିବେ।